ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ, କାଲି ସୁନାବେଶରେ ଝଲସିବେ ମହାବାହୁ

ପୁରୀ,୫ା୭:  ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରା ସାରି ଶନିବାର ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ  ବାହୁଡ଼ି ଆସିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଗହଣରେ ଆଜି ଅପରାହ୍ନ ୩ଟାରେ ରଥଟଣା କାର୍ଯ୍ୟ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ବାଟରେ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ପୋଡ଼ପିଠା ଭୋଗଖାଇ ଶ୍ରୀମନ୍ଦିର ଆଡ଼କୁ ଯାତ୍ରା ଆରମ୍ଭ କରିଥିଲେ। ରାତି ସାଢ଼େ ୯ଟା ସୁଦ୍ଧା ତିନି ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲେ। ପ୍ରଥମେ ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ବେଳେ ପରେ ମା’ ସୁଭଦ୍ରାଙ୍କ ରଥ ସିଂହଦ୍ୱାରରେ ଲାଗିଥିଲା। ଶେଷରେ କାଳିଆ ସାଆନ୍ତଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଚାହାଣୀ ମଣ୍ଡପକୁ ଆସି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ରବିବାର  ରଥ ଉପରେ ଶ୍ରୀଜିଉ ସୁନାବେଶରେ ଭକ୍ତଙ୍କୁ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଦର୍ଶନ ଦେବେ। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଏବଂ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।