ନୂଆଦିଲ୍ଲୀ: ଆସନ୍ତା ମାସ ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ରାଜ୍ୟର ମୋଟ ୯୦ଟି ଆସନ ମଧ୍ୟରୁ ଗତ ୨୦୧୮ରେ କଂଗ୍ରେସ ୬୮ଟି ଆସନରେ ଜିତିଥିବା ବେଳେ ଏଥର ଦଳ ପୁଣି ଥରେ କ୍ଷମତା ହାତେଇବାକୁ ପ୍ରୟାସ ଆରମ୍ଭ କରିଦେଇଛି । ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ କ୍ଷମତାକୁ ଫେରିବା ପରେ ଦେଶର ଏହି ସର୍ବପୂରାତନ ରାଜନୈତି ଦଳର ମନୋବଳ ବେଶ୍ ବୃଦ୍ଧି ହୋଇଥିବାର ଦେଖାଯାଇଛି ।
ତେବେ ଏହା ମଧ୍ୟରେ ନିର୍ବାଚନକୁ ଆଉ କମ୍ ଦିନ ବାକି ଥିବାବେଳେ ବିଭିନ୍ନ ପର୍ଯ୍ୟାୟରେ ରାଜନୈତିକ ଦଳମାନେ ନିଜ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଏହା ମଧ୍ୟରେ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି । ଉକ୍ତ ଲିଷ୍ଟରେ ରାଷ୍ଟୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜ୍ୟ ପ୍ରଭାରୀ କୁମାରୀ ସେଲଜା, ଅଧୀର ରଞ୍ଜନ ଚୌଧରୀ ପ୍ରମୁଖ ସ୍ଥାନ ପାଇଛନ୍ତି ।
ତେବେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଜାରି ଏହି ତାଲିକାରେ ଓଡ଼ିଶାର ୩ ଜଣ ନେତାଙ୍କ ନାମ ରହିଛି । ସେମାନେ ହେଉଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି (ପିସିସି) ଶରତ ପଟ୍ଟନାୟକ, ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା । ଏହି ନେତାମାନେ ଛତିଶଗଡ଼ର ବିଭିନ୍ନ ବିଧାନସଭା କ୍ଷେତ୍ର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନତାଙ୍କ ନିକଟରେ ଭୋଟ ଭିକ୍ଷା କରିବେ । ଏଥର ଛତିଶଗଡ଼ରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । ଭୋଟ ସରିବା ପରେ ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ ।
ଦୀର୍ଘଦିନ ଧରି ସୁପ୍ତ ଅବସ୍ଥାରେ ରହିଥିବା କଂଗ୍ରେସ ଗତ କିଛିମାସ ଧରି ବେଞ୍ଚ ଚଳଞ୍ଚଳ ହୋଇ ଉଠିଛି । ନିକଟରେ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନେଇ ସାରା ଦେଶରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି ହେବା ସହିତ ରାହୁଲଙ୍କର ଲୋକପ୍ରିୟାରେ ମଧ୍ୟ ବୃଦ୍ଧି ଘଟିଥିଲା । ଛତିଶଗଡ଼ ବ୍ୟତୀତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ଗତଥର ସରକାର ଗଠନ କରିଥିଲା । ତେଣୁ ୨୦୨୪ ଫାଇନାଲ ମ୍ୟାଚ ପୂର୍ବରୁ ସେମିଫାଇନାଲରେ ନିଜର ଦମ୍ ଦେଖାଇବାକୁ ଦିନରାତି ଏକ କରିଦେଇଛି କଂଗ୍ରେସ । ଏହି ତିନିଟି ରାଜ୍ୟରେ ଯଦି କଂଗ୍ରେସ ସରକାର କରେ, ତେବେ ତାହା ଆସନ୍ତା ଲୋକସଭା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ । ଏଥିସହିତ ଜନତାଙ୍କ ନିକଟକୁ ଭିନ୍ନ ଜନତାଦେଶ ଯାଇପାରେ । ଉଭୟ କଂଗ୍ରେସ ଓ ବିଜେପି ପାଇଁ ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ।