fbpx

ଦିନିକିଆ ବିଶ୍ୱକପରେ ସୁଯୋଗ ପାଇପାରନ୍ତି ତିଲକ୍ ବର୍ମା: ଯୁବରାଜଙ୍କ ପରି ଖେଳୁଛନ୍ତି ଶଟ୍

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ପ୍ଲେୟର ତିଲକ୍ ବର୍ମା ଆଇପିଏଲ-୨୦୨୩ରେ ଧମାକାଦାର ପ୍ରଦର୍ଶନ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ତାଙ୍କର ଦମଦାର ପାଳି ଖେଳି କ୍ରିକେଟପ୍ରେମୀଙ୍କ ପ୍ରଭାବିତ କରିଛନ୍ତି ତିଲକ୍ । ଲଗାତାର ଭଲ ପ୍ରଦର୍ଶନ କରି ସେ ମୁମ୍ବାଇ ପାଇଁ ଜଣେ ପ୍ରମୁଖ ଖେଳାଳି ଭାବରେ ସ୍ଥାନ ପାଇଛନ୍ତି । ଏହି ପ୍ରଦର୍ଶନ ତାଙ୍କୁ ଆସନ୍ତା ଦିନିକିଆ ବିଶ୍ୱକପରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ମଧ୍ୟକ୍ରମରେ ତିଲକ ବର୍ମାଙ୍କ ବ୍ୟାଟିଂରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଝଲକ ରହିଥିବା ଦର୍ଶକ ଦାବି କରୁଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ତିଲକ୍ ବର୍ମାଙ୍କୁ ନେଇ ବଡ ଦାବି କରିଛନ୍ତି କ୍ରିକେଟ ଫ୍ୟାନ୍ସ । ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ତିଲକ୍ ବର୍ମାଙ୍କୁ ଆସନ୍ତା ଦିନିକିଆ ବିଶ୍ବକପରେ ସାମିଲ କରିବା ପାଇଁ ସେମାନେ ଦାବି କରିଛନ୍ତି । ଚଳିତ ଆଇପିଏଲ ସିଜନରେ ଦମଦାର ପ୍ରଦର୍ଶନ କରୁଥିବା ତିଲକ୍ ଖୁବ ସୁନ୍ଦର ଫର୍ମରେ ରହିଥିବା ବେଳେ ଲଗାତାର ପ୍ରଦର୍ଶନ କରୁଛନ୍ତି । ଏହାବ୍ୟତୀତ ତାଙ୍କ ଖେଳରେ ଯୁବରାଜଙ୍କ ଝଲକ ଦେଖାଯାଉଥିବା କହିଛନ୍ତି ଅନେକ ପ୍ରଶଂସକ । ମଧ୍ୟକ୍ରମରେ ଆସି ଲମ୍ବା ଛକା ମାରିବା ସହ ବଡ ଇନିଂସ ଖେଳିବା ପାଇଁ ସେ ପ୍ରସ୍ତୁତ ଥିବା କୁହାଯାଇଛି । ଶ୍ରେୟସ ଆୟର ଏବଂ ଋଷଙ ପନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ଅଭାବକୁ ପୂରଣ କରିପାର ଯଥେଷ୍ଟ କ୍ଷମତା ରଖିଛନ୍ତି ତିଲକ ବର୍ମା । ତେବେ କେ.ଏଲ ରାହୁଲଙ୍କ ଖରାପ ଫର୍ମ ତାଙ୍କ ପାଇଁ ବିଶ୍ୱକପର ଦ୍ୱାର ଖୋଲିପାରେ ବୋଲି ଅନୁମାନ କରାଯାଉଛି ।

ଟିମ ଇଣ୍ଡିଆ ବର୍ତ୍ତମାନ ମଧ୍ୟକ୍ରମର ବ୍ୟାଟିଂ ପାଇଁ ସଂଘର୍ଷ କରୁଥିବା ବେଳେ ତିଲକ ବର୍ମା ଦଳ ପାଇଁ ଅମୋଘ ଅସ୍ତ୍ର ହୋଇପାରନ୍ତି । ଯୁବରାଜ, ରାଇନା ଏବଂ ଏମ.ଏସ ଧୋନୀଙ୍କ ଅବସର ପରେ ଭାରତର ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଦୁର୍ବଳ ପ୍ରଦର୍ଶନ କରିବାରେ ଲାଗିଛି । ଏହାସହିତ ଆହତ ସମସ୍ୟା ଦଳ ପାଇଁ ଆହୁରି ଏକ ବଡ ସମସ୍ୟା ପାଲଟିଛି । ମଧ୍ୟକ୍ରମକୁ ଶକ୍ତିଶାଳୀ କରୁଥିବା ଋଷଭ ପନ୍ତ ଏବଂ ଶ୍ରେୟସ ଆୟର ଆହତ ହୋଇଥିବା ବେଳେ ସେମାନଙ୍କର ବିଶ୍ୱକପ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ତେଣୁ ତିଲକ୍ ବର୍ମା ଏହି ସ୍ଥାନ ପୂରଣ କରିପାରିବେ ବୋଲି ଆଶା କରିଛନ୍ତି କୋଟି କୋଟି କ୍ରିକେଟ ପ୍ରେମୀ । ଚଳିତ ଆଇପିଏଲ ସିଜନର ୫ଟି ପାଳିରେ ସେ ମୋଟ ୨୧୪ ରନ୍ ସଂଗ୍ରହ କରିସାରିଛନ୍ତି । ତେଣୁ ତାଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯିବା ଉଚିତ ବୋଲି କହୁଛନ୍ତି କ୍ରିକେଟପ୍ରେମୀ ।

 

Get real time updates directly on you device, subscribe now.