ଆଜିଠୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ର ଦୁଇ ଦିନିଆ ବୈଠକ, ହାଇଦ୍ରାବାଦରେ ଏକାଠି ହେବେ ସମସ୍ତ କମିଟି ସଦସ୍ୟ
ନୂଆଦିଲ୍ଲୀ: ନୂତନ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ କରିବାକୁ ଯାଉଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ପ୍ରଥମଥର ଲାଗି କଂଗ୍ରେସ ଶନିବାର ବା ଆଜି ହାଇଦ୍ରାବାଦରେ କାର୍ଯ୍ୟକାରିଣୀ(ସିଡବ୍ଲୁସି)ର ଦୁଇ ଦିନିଆ ବୈଠକ କରିବାକୁ ଯାଉଛି। ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗଦେବେ। ଏଥି ସହିତ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ପାଇଁ ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ହାଇଦ୍ରାବାଦରେ ପହଞ୍ଚି ସାରିଛନ୍ତି ।
ତେବେ ଇଣ୍ଡିଆ ମେଣ୍ଟରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କଂଗ୍ରେସ ଦଳ ବର୍ତ୍ତମାନ ତାର ଏକ ନିଜସ୍ୱ ବୈଠକ କରିବ। ଯେଉଁଥିରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି, ବିରୋଧୀ ମେଣ୍ଟ ଭିତରେ ଦଳ ପ୍ରାର୍ଥୀ ଦେବା, ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ। ସେହିପରି ଇଣ୍ଡିଆ ମେଣ୍ଟରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେବା ପାଇଁ ଏକ ବଡ଼ କୌଶଳ ଆପଣେଇବାକୁ ଯାଉଥିବା ଚର୍ଚ୍ଚା ହେଉଛି।
ବିଶେଷ କରି ବୈଠକରେ ତେଲେଙ୍ଗାନା ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯିବ ଏବଂ ଏଥିପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ।
ଅନ୍ୟପଟେ ରବିବାର ଦଳ ହାଇଦ୍ରାବାଦରେ ଏକ ବିଜୟ ସମାବେଶ କରିବ ଏବଂ ତେଲେଙ୍ଗାନା ପାଇଁ ପାଞ୍ଚଟି ଗ୍ୟାରେଣ୍ଟି ଘୋଷଣା କରିବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ମୁଦ୍ରାସ୍ଫୀତି, ବେକାରୀ, ମଣିପୁର ହିଂସା ଏବଂ ଜମ୍ମୁ କଶ୍ମୀରରେ ପରିସ୍ଥିତି ଭଳି ପ୍ରସଙ୍ଗରେ ବିଜେପିକୁ ଶାଣିତ ଆକ୍ରମଣ କରିବାକୁ ଦଳୀୟ ନେତାଙ୍କୁ ଗୁରୁ ଜ୍ଞାନ ଦିଆଯିବା କଥା କୁହାଯାଉଛି।