ଆଜି IPL ପ୍ରଥମ କ୍ବାଲିଫାୟର, ପଞ୍ଜାବ କିଙ୍ଗ୍ସ୍ ଓ ଆରସିବି ମଧ୍ୟରେ ହେବ ଟକ୍କର୍

ଆଜି IPL ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ପଞ୍ଜାବ କିଙ୍ଗ୍ସ୍ ଓ ଆରସିବି ମଧ୍ୟରେ ଆଜି ହେବ ଟକ୍କର୍ ।

ନୂଆଦିଲ୍ଲୀ: ଆଜି IPL ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ପଞ୍ଜାବ କିଙ୍ଗ୍ସ୍ ଓ ଆରସିବି ମଧ୍ୟରେ ଆଜି ହେବ ଟକ୍କର୍ । ଚଣ୍ଡିଗଡ଼ରେ ସଂନ୍ଧ୍ୟା ସାଢେ 7ଟାରେ ହେବ ଏହି ମ୍ୟାଚ । ଆଗୁଆ ଫାଇନାଲ ପ୍ରବେଶ ଲକ୍ଷରେ ଉଭୟ ଦଳ ।

ଶ୍ରେୟସ୍ ଆୟରଙ୍କ ବଳିଷ୍ଠ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସ 11ବର୍ଷ ପରେ ପ୍ଲେ ଅଫ୍‌କୁ ଯାଇଛି। ଅନ୍ୟପକ୍ଷରେ 2024 ସହ ମୋଟ 2ଥର ପ୍ଲେ ଅଫ୍‌କୁ ଯାଇଥିଲେ ମଧ୍ୟ ଆର୍‌ସିବି କେବେ ବି ବିଜେତା ହେବାର ଗୌରବ ହାସଲ କରିନି। ଏଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିବ।

ପୁଣି ଚଳିତ ଋତୁରେ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ଲିଗ୍‌ ମ୍ୟାଚ୍‌ରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ କେହି କାହାରିକୁ ସହଜରେ ବାଟ ଛାଡ଼ିଲା ଭଳି ମନେ ହେଉନି। ଗତ ପାଞ୍ଚଟି ମ୍ୟାଚ୍‌ରୁ ଆର୍‌ସିବି ଚାରିଟି ଜିତିଥିବାରୁ ଅତୀତ ସଫଳତା ଏହି ଦଳ ସପକ୍ଷରେ ରହିଛି।

ରିକି ପଣ୍ଟିଂଙ୍କ ପ୍ରଶିକ୍ଷଣରେ ପଞ୍ଜାବ ନୂଆ ଉତ୍ସାହ ଓ ଆତ୍ମବିଶ୍ବାସର ସହ ପୂରା ଋତୁ ଖେଳିଥିଲା ବେଳେ ଆର୍‌ସିବିରେ ଅଷ୍ଟାଦଶ ଋତୁ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ଟ୍ରଫି ଉପହାର ଦେବାକୁ ଆର୍‌ସିବି ଖେଳାଳିମାନେ ବ୍ୟଗ୍ର ଅଛନ୍ତି। ପଞ୍ଜାବ ପାଇଁ ସବୁଠୁ ବଡ଼ ଶକ୍ତି ପାଲଟିଛନ୍ତି ତାର ଚାରି ଅଣଅନ୍ତର୍ଜାତୀୟ ଘରୋଇ ଖେଳାଳି। ସେମାନେ ହେଲେ ପ୍ରଭସିମରନ୍ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଶାଶଙ୍କ ସିଂହ ଓ ନେହଲ ୱାଢ଼େରା।

ସେହିଭଳି ଅଧିନାୟକ ଶ୍ରେୟସ୍ ଆୟର ଚମତ୍କାର ଫର୍ମରେ ରହିବା ଆର୍‌ସିବିକୁ ପରୀକ୍ଷାରେ ପକାଇପାରେ। ଆର୍‌ସିବି ବ୍ୟାଟିଂ ବାହିନୀ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। କୋହଲି ଚମତ୍କା‌ର ଫର୍ମରେ ଥିଲା ବେଳେ ଜିତେଶ ଶର୍ମା ନିଜ ଦକ୍ଷତାର ପରିଚୟ ଲକ୍ଷ୍ନୌ ସୁପରକିଙ୍ଗ୍ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଦେଇ ସାରିଛନ୍ତି। ଯୁବ ଅଧିନାୟକ ରଜତ ପଟିଦାର, ଫିଲ୍ ସଲ୍‌ଟ, ମୟଙ୍କ ଅଗ୍ରୱାଲ, କ୍ରୁନାଲ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପଞ୍ଜାବକୁ ପାଣି ପିଆଇବାର ଦକ୍ଷତା ରଖନ୍ତି। ଲିଆମ ଲିଭିଂଷ୍ଟୋନଙ୍କ କ୍ରମାଗତ ବିଫଳତା କିନ୍ତୁ ଆର୍‌ସିବି ପାଇଁ ଚିନ୍ତାର କାରଣ ହୋଇପାରେ।