ଆଜି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ ।

ପୁରୀ: ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ମସ୍ତକରେ ଲାଗୁ ହେବ ସୁବର୍ଣ୍ଣ ଚିତା । ଅପରାହ୍ନ 2ଟା 30ରୁ ସନ୍ଧ୍ଯା 6ଟା 30 ଯାଏଁ ଚାଲିବ ନୀତି । ଗୁପ୍ତ ନୀତି ଥିବାରୁ 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗ ନୀତି ସମ୍ପନ୍ନ ହୋଇଥାଏ। ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ଏହା ଗୁପ୍ତ ନୀତି ହୋଇଥିବାରୁ ନୀତି ସମୟରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବ। ଏହାପରେ ଦଇତାପତି ସେବକମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିବେ।

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ମହାପ୍ରଭୁଙ୍କ ଠାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ।ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ । ତାକୁ ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଏ।

ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥାନ୍ତି । ଏହା ପରେ ଶ୍ରୀଜିଉଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନ ସିଂହାସନାଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି ।

ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ତିନିଟି ସ୍ୱର୍ଣ୍ଣ ଚିତାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି। ଏହାର ଚାରି ପଟେ ପାଞ୍ଚଟି ବେଢରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି।