ଭୁବନେଶ୍ୱର: ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ । ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିବେ ଓଡ଼ିଶାର ଜାତୀୟ ପର୍ବ ରଜ। ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ । ରଜପାନ, ପିଠା ପଣାରେ ମହକିବ ପ୍ରତିଟି ଓଡ଼ିଆ ଘର। ରାଜ୍ୟ ତଥା ଦେଶ ବାହାରେ ଥିବା ସବୁ ଲୋକ ନିଜ ଗାଁ କୁ ଆସିବେ। ସବୁ ବନ୍ଧୁ ବାନ୍ଧବ ଏକାଠି ହେବେ। ଖୁବ୍ ଧୁମଧାମରେ ପାଳିବେ ଏହି ପର୍ବ। ରାଜ୍ୟରେ ବର୍ତ୍ତମାନ ସୂର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି, କିନ୍ତୁ ଏହାରି ମଧ୍ୟରେ ରଜକୁ ନେଇ ଖୁବ୍ ଉତ୍ସାହର ସହ ସମସ୍ତେ ଅପେକ୍ଷା କରିଛନ୍ତି।
ଏନେଇ ଓଡ଼ିଶାର ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀର ସବୁ ମାର୍କେଟ ରେ ଜମୁଛି ଲୋକଙ୍କ ଭିଡ଼। କିଏ ନୂଆ ଡ୍ରେସ୍ ସହ ମାଚିଂ କାନଫୁଲ ତ ଆଉ କିଏ ମନପସନ୍ଦ ର ଶାଢ଼ୀ କିଣୁଛି। ରଜ ପର୍ବ ପାଳନରେ ଅନେକ ବିଧି ରହିଛି। ରଜ ସାଧାରଣତଃ ତିନିଦିନ ଧରି ପାଳନ କରାଯାଏ। ତାହା ହେଲା, ପହିଲି ରଜ, ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ଓ ଶେଷ ରଜ। କିନ୍ତୁ କେଉଁଠି କେଉଁଠି ଏହାକୁ ୫ ଦିନ ଧରି ପାଳନ କରାଯାଇଥାଏ। ଯେପରି, ସଜବାଜ, ତା’ପରେ ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ଓ ୫ମ ଦିନ ବସୁମତୀ ସ୍ନାନ ବା ଭୂଇଁ ଦହନ ।
ରଜ ସଜବାଜ ଆସିଲେ ଗାଁ, ସହର ସଜେଇ ହୁଏ। ଝିଅ, ବୋହୂମାନେ କେଶସଜ୍ଜା କରି, ମେହେନ୍ଦୀ, କୁକୁଂମ, ଅଳତା, ସିନ୍ଦୂର ନାଇ ନିଜକୁ ସଜାଇ ଥାଆନ୍ତି। ବେଶ ଖୁସି ଆଣିଥାଏ ଏହି ସଜବାଜ। ସାଧାରଣତଃ ଏହି ଦିନ ଝିଅ, ବୋହୂମାନେ ସକାଳୁ ଉଠି ସ୍ନାନ ଯାଆନ୍ତି। ମୁଣ୍ଡ ସଫା କରି, ଦେହରେ ହଳଦୀ ମାଖନ୍ତି। ସ୍ନାନାଦି ସାରି ନିଜକୁ ରଙ୍ଗ ବେରଙ୍ଗ ନୂଆବସ୍ତ୍ରରେ ସୁନ୍ଦର ଭାବରେ ସଜାଇ, ଅଳଙ୍କାର ପିନ୍ଧି ଭଗବାନଙ୍କୁ ସ୍ମରଣ କରନ୍ତି। ଏହା ସହିତ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଘର ବୁଲିଥାନ୍ତି ରଜର ବଡ଼ ଆକର୍ଷଣ ମନୋରଞ୍ଜନ କାର୍ଯ୍ୟକ୍ରମ ।
ରଜରେ ନାରୀମାନଙ୍କୁ ଗୃହକର୍ମ ଜନିତ ଶ୍ରମରୁ ନିବୃତି ଦିଆଯାଇଥାଏ । ସେମାନେ ‘ସଜବାଜ’ ଦିନ ଆଗୁଆ ପରିବା କଟା, ବଛାକୁଟା, ପାଣିଅଣା, ବଟାବଟି, ରଜମୁଢ଼ି, ରଜପାନ ପ୍ରସ୍ତୁତ ସହ ପିଠାପାଇଁ ବଟାବଟି ଏବଂ କିଛି ପିଠାପଣା ଛଣା ଛଣିକରି ରଖି ଦେଇଥାଆନ୍ତି । ବାଳିକା, କିଶୋରୀ, ତରୁଣୀଙ୍କ ଠାରୁ ନବ ବିବାହିତା ନାରୀମାନଙ୍କ ପାଇଁ ଏହା ଏକ ଆନନ୍ଦର ପର୍ବ। ଅନ୍ୟପଟେ ବୟସ୍କମାନେ ତାସ୍, କ୍ୟାରମ୍, ପଶା ଇତ୍ୟାଦିରେ ମାତିଥିବା ବେଳେ କିଶୋରମାନେ ଗାଁ ଦାଣ୍ଡରେ ବାଗୁଡ଼ି’, ଯୁବକମାନେ ନାଟ, ତାମସା, ପାଲା, ସୁଆଙ୍ଗ, ଦାସକାଠିଆ ବା ଥିଏଟରରେ ଏହି ପର୍ବକୁ ମନେଇ ଥାଆନ୍ତି।