ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତିର ଆଜି ପ୍ରଥମ ଦିନ, ନିୟୋଜିତ ରହିବେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ନୀତିକାନ୍ତିକୁ ଶୃଙ୍ଖଳିତ ରଖି ଏହି କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଏହି ମରାମତି କାର୍ଯ୍ୟରେ ୧୫ ରୁ ୨୦ ଜଣ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍ ନିୟୋଜିତ ରହିବେ । ପ୍ରଥମେ ଭାରା ବନ୍ଧା ହୋଇ ଚୂନ ପ୍ଲାଷ୍ଟର ହେବ । ଭିତର ଭଣ୍ଡାରରୁ ଏହି କାର୍ଯ୍ୟ କରାଯିବ । ଏହି ମରାମତି କାର୍ଯ୍ୟରେ ଯେଉଁ ଶ୍ରମିକମାନେ ରହିବେ, ସେମାନେ ନୀତି ଅନୁଯାୟୀ ନିରାମିଷ ଭୋଜନ କରିବେ ।

ଦ୍ୱିତୀୟ ଭୋଗମଣ୍ଡପ ପୂର୍ଣ୍ଣାଙ୍ଗ ହେବା ପରେ ହିଁ ରତ୍ନ ଭଣ୍ଡାର ଖୋଲାଯିବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହୋଇସାରିଲାଣି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ରତ୍ନଭଣ୍ଡାର ମରାମତି ପାଇଁ ବିବୃତ୍ତି ପ୍ରକାଶ କରିଛନ୍ତି; ‘ଆଜି ରତ୍ନ ଭଣ୍ଡାରର କାର୍ଯ୍ୟ ଆରମ୍ଭ ହେବ । ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଗତ ଦିନରେ ମନ୍ଦିର ମରାମତି ସମୟରେ ଯେଉଁ ପ୍ରୋଟୋକଲ ଥିଲା ସେହି ପ୍ରୋଟକଲ ରହିଛି ।’