fbpx

ଆଜି ନିଳାଦ୍ରୀ ବିଜେ କରିବେ ନିଳାଦ୍ରନାଥ, ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ଫେରିଯିବେ

ପୁରୀ,(ଭାସ୍କର ନ୍ୟୁଜ୍): ସରିଲା ଚଳିତ ବର୍ଷ ରଥଯାତ୍ରା। ୧୨ ଦିନର ଲୀଳାଖେଳା ପରେ ନୀଳକନ୍ଦରକୁ ଫେରିଯିବେ ନିଳାଦ୍ରୀନାଥ। ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରେ ଶ୍ରୀମନ୍ଦରରେ ପ୍ରବେଶ କରିବେ। ଏଥିପାଇର୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମହାପ୍ରଭୁଙ୍କ ରନ୍ନ ସିଂହାସନରେ ବିଜେ କରିବେ।

ସୋମବାର ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ଧୂଶେଷ ପରେ ତଥା ସନ୍ଧ୍ୟା ଆଳତୀ ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥିଲା । ମହାସୁଆର ସେବକମାନେ ଏହି ଅଧରପଣା ପ୍ରସ୍ତୁତ କରିଥିଲେ । ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚାର ହାଣ୍ଡିରେ ଏହି ପଣା ପ୍ରସ୍ତୁତ କରାଯାଇଥିଲା । ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡି ରଖାଯାଇଥିଲା । ୩ ଠାକୁରଙ୍କୁ ୯ଟି ମାଟିହାଣ୍ଡିରେ ଅଧରପଣା ନୀତି ଲାଗୁ ହେବା ପରେ ରଥ ଉପରେ ଏହାକୁ ଭାଙ୍ଗି ଦିଆଯାଇଥିଲା । କୁହାଯାଏ ଚଣ୍ଡି, ଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ରଥ ଉପରେ ଏହି ହାଣ୍ଡି ଭଙ୍ଗାଯାଇଥାଏ । ଏହି ୯ଟି ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥିଲେ । ପଣାହାଣ୍ଡି ଭାଙ୍ଗିଗଲେ ସବୁଯାକ ପଣା ରଥ ତଳକୁ ବୋହିଯାଇଥାଏ । ତାହାକୁ ଅନ୍ୟ ଦେବାଦେବୀ ଓ ଭୂତ ପ୍ରେତମାନେ ପାଇଥାନ୍ତି ବୋଲି କୁହାଯାଏ ।

ଏହି ପଣା ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଈଫଳ ଇତ୍ୟାଦି ମିଶ୍ରଣରେ କରାଯାଇଥାଏ । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହୋଇଥିବା ସ୍ଥାନରେ ମହାପ୍ରଭୁମାନଙ୍କ ଶ୍ରୀଅଧର ଉଚ୍ଚ ଥିବା ତୁମ୍ବାକୃତି ଭଳି ମାଟିର ୩ଟି ହାଣ୍ଡିରେ ରଖାଯାଇଥିଲା । ତେବେ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇନଥାଏ ବୋଲି ସେବାୟତମାନେ କହିଛନ୍ତି । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଁଣୀ ମଠ ସମ୍ମୁଖସ୍ଥ କୂ ରୁ ଗରାମାନଙ୍କରେ ଜଳ କାଢ଼ି ରଥ ଉପରକୁ ବୋହି ନେବା ପରେ ବଡ଼ ହାଣ୍ଡିମାନଙ୍କରେ ରଖିଥିଲେ ଯାହାକୁ କି ପରେ ଭଙ୍ଗାଯାଇଥିଲା । ପୂର୍ବରୁ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଥାବଲ୍ଲଭ ମଠ କୂରୁ ଆସୁଥିଲା । ଜଳବୁହା ସମୟରେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୂଆ ଖୋଳପା ଧରି ଲୋକଙ୍କୁ ଆଡ଼େଇ ଥାନ୍ତି ଯେପରି ଏହାକୁ କେହି ସ୍ପର୍ଶ କରିାରିବେ ନାହିଁ । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଖାଇ ଭିତରଛ, ତଳୁଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେକି ଧରିଥାନ୍ତି ।

ଶ୍ରୀମନ୍ଦିର ସ୍ୱତ୍ୱଲିି ଅନୁଯାୟୀ, ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧରପଣା ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀଦିନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏହି ନୀତି ଏବେ ଦ୍ୱାଦଶୀ ତିଥିରେ କରାଯାଉଛି । ଅନ୍ୟପକ୍ଷରେ ମଙ୍ଗଳବାର ମହାପ୍ରଭୁ ନୀଳକନ୍ଦରକୁ ବିଜେ କରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧରପଣା ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥିଲା । ତେବେ ମୋଟାମୋଟି ଭାବେ ମହାପ୍ରଭୁଙ୍କ ଏହି ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.