ଭୁବନେଶ୍ୱର: ମାସେ ହେଲା ପାଟିରେ ଆମିଷ ବାଜିନଥିଲା। ଲୋକେ ଛାଡ଼ଖାଇକୁ ଅନାଇ ରହିଥିଲେ। କେମିତି କାର୍ତ୍ତିକ ମାସ ସରିଲେ ବଢିଆ ଛାଡଖାଇଟେ ହେବ। ମାସ ଯାକ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି। ଏହି ଦିନ ଶେଷ ହେବା କ୍ଷଣି ଆରମ୍ଭ ହୋଇଥାଏ ଛାଡଖାଇ। ତେବେ ଚଳିତ ବର୍ଷ ଛାଡଖାଇରେ ସଂକ୍ରାନ୍ତି ପଡ଼ିଥିବାରୁ ଗୋଟିଏ ଦିନ ବିଳମ୍ବ ହୋଇଯାଇଛି । ତେଣୁ ଆସନ୍ତାକାଲି ରବିବାରରେ ଛାଡ଼ଖାଇ ପାଳନ ହେବ । ସହରୀବାସୀଙ୍କ ମନରେ ଉତ୍ସାହ କହିଲେ ନସରେ। ତେବେ ରବିବାର ଆମିଷ ବାର ହୋଇଥିବାରୁ ଆଇଁଷ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ହେଟୋଲ ରେଷ୍ଟୁରାଣ୍ଟରେ ଜମିବ ଭିଡ଼।
ଗୋଟିଏ ଦିନ ପୂର୍ବରୁ ଦୁଇ ପଇସା ରୋଜଗାର କରିବା ଆଶାରେ ଆମିଷ ବ୍ୟବସାୟୀମାନେ ମାଛ, ମାଂସ, ଅଣ୍ଡା ମହଜୁତ ରଖିଛନ୍ତି। ସେହିପରି ବୁଧବାର ପର୍ଯ୍ୟନ୍ତ ଆମିଷ ବଜାର ଜୋରଦାର ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧି ବସିଛନ୍ତି। ଆସନ୍ତାକାଲି ପଡୁଛି ଛାଡଖାଇ। ଧର୍ମର ମାସ ସରିବା ମାତ୍ରେ ତାର ପରବର୍ତ୍ତୀ ଦିନ ଆମିଷ ଭୋଜନ କରି ଛାଡଖାଇ ପାଳନ କରାଯାଏ। ଏହି ଦିନ ମାଛ ଏବଂ ମାଂସର ବଜାର ଖୁବ୍ ଜମିଥାଏ। ମାସ ସାରା ପାଟିରେ ଆମିଷ ବାଜି ନଥିବାରୁ ଛାଡଖାଇ ଦିନ ଆମିଷ ଖାଇବାକୁ ଲୋକଙ୍କ ଆଗ୍ରହ ବେଶ ରହିଥାଏ। ପୁଣି ଆସନ୍ତାକାଲି ରବିବାର ପଡୁଥିବାରୁ ଆମିଷ ବଜାର ବେଶ ଜମିବ।
ତେବେ କାର୍ତ୍ତିକ ମାସରେ ଆମିଷ ଛାଡ଼ିଥିବା ଲୋକମାନେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ଛାଡ଼ଖାଇ ପାଳନ କରିବେ । ଏଥର ଛାଡ଼ଖାଇରେ କେତେ ଯେ ଜୀବଙ୍କ ଜୀବନ ଯିବ, ତା’ର ହିସାବ ନାହିଁ । ତେବେ ଏଥର ଛାଡ଼ଖାଇରେ ଦେଖିବାକୁ ମିଳିଛି ଏକ ବିଚିତ୍ର ସଂଯୋଗ । ଏଥର ବିଛା ସଂକ୍ରାନ୍ତି କାରଣରୁ କୁକୁଡ଼ା, ଛେଳି, ମାଛ ଆଦି ଅନେକ ଜୀବନଙ୍କର ଗୋଟିଏ ଦିନର ଆୟୁଷ ବଢ଼ିଯାଇଛି । ବିଛା ସଂକ୍ରାନ୍ତି ପଡ଼ୁଥିବାରୁ ଏଥର ଛାଡ଼ଖାଇ ଗୋଟିଏ ଦିନ ପରେ ହେବ । ସେଥିପାଇଁ ଅନେକ ଜୀବ ଗୋଟିଏ ଦିନ ପାଇଁ ଏ ଧରିତ୍ରୀ ବକ୍ଷରେ ବଞ୍ଚିବାର ସୁଯୋଗ ପାଇଥିଲେ ।