fbpx

ସୋପୋରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଲସ୍କର କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ

Advertisement

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ରବିବାର ସନ୍ଧ୍ୟାରେ ଜାରି ଗୁଳି ବିନିମୟରେ ଲସ୍କରର ଶୀର୍ଷ କମାଣ୍ଡର ମୁଦରିସ ପଣ୍ଡିତ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।  ଏହି ଘଟଣା କଶ୍ମୀରର ତାନ୍ତ୍ରେପୁରା ଅଞ୍ଚଳରେ ଘଟିଛି।

କଶ୍ମୀର ପୋଲିସ  ମୁଖ୍ୟ ବିଜୟ କୁମାର କହିଛନ୍ତି, ଆତଙ୍କବାଦୀ ମୁଦରିସ ପଣ୍ଡିତ ତିନି ପୋଲିସ କର୍ମଚାରୀ, ଦୁଇ କର୍ପୋରେଟର ଓ ଦୁଇ ନାଗରିକଙ୍କ ହତ୍ୟାରେ ସଂପୃକ୍ତ ଥିଲା। ଏହା ବ୍ୟତୀତ ଅନେକ ସୀମା ସମ୍ବନ୍ଧିତ ଅପରାଧରେ ମଧ୍ୟ ତାର ହାତ ଥିବା କୁମାର କହିଛନ୍ତି। ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରର ପୋଲିସ ଓ ସିଆରଏପିଏଫ ସୋପୋର ଅଞ୍ଚଳରେ ମିଳିତ ଅଭିଯାନ ଚଳାଇଛନ୍ତି। ଜୁନ ୧୨ରେ ସୋପୋରରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ଏହି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ  ହୋଇଛି। ଆତଙ୍କୀ ଆକ୍ରମଣରେ ୨ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ଦୁଇ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

 

ଏହି ଆକ୍ରମଣ ପଛରେ ଲସ୍କର ଏ ତୋଇବାର ହାତ ଥିବା ପୋଲିସ କହିଥିଲା। ଏହି ଆତଙ୍କୀ ଆକ୍ରମଣରେ ସାମିଲ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ମୁଦରିସ ପଣ୍ଡିତ ଜଣେ ଥିଲା ବୋଲି ବିଜୟ କୁମାର କହିଥିଲେ। ଗୁଇନ୍ଦା ରିପୋର୍ଟ ଆଧାରରେ ତାନ୍ତ୍ରେପୁରା ଅଞ୍ଚଳରେ ପୋଲିସ ଓ ସେନା ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରୁ ଗୁଳି ଚଳାଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଯବାନଙ୍କ ପାଲଟା ଜବାବରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।

Get real time updates directly on you device, subscribe now.