ରିସର୍ଚ୍ଚରୁ ବଡ଼ ଖୁଲାସା: ସାମ୍ନାକୁ ଆସିଲା ଅଚାନକ କେଶ ଝଡ଼ି ଚନ୍ଦା ହେବାର ଅସଲ କାରଣ
ହଠାତ ମୁଣ୍ଡର ସମସ୍ତ କେଶ ଝଡ଼ିପଡିବାର କାରଣ ହେଉଛି ଗହମ, ରିସର୍ଚ୍ଚରୁ ବଡ଼ ଖୁଲାସା
ନୂଆଦିଲ୍ଲୀ: ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ୧୮ଟି ଗ୍ରାମର ଲୋକେ ଚନ୍ଦାପଣର ଶିକାର ହୋଇଛନ୍ତି। ଏହି ଖବର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶାସନ ପୂର୍ବରୁ ପାଣି ପିଇବା କାରଣ ଉପରେ ସନ୍ଦେହ ପ୍ରକାଶ କରିଥିଲା, ହେଲେ ଚନ୍ଦାପଣର ଅସଲ କାରଣ ଆଉ କିଛି ବୋଲି ବର୍ତ୍ତମାନ ସାମ୍ନାକୁ ଆସିଛି।
ଚନ୍ଦାପଣର କାରଣ ପଞ୍ଜାବ ଏବଂ ହରିୟାଣାର ଶିବାଲିକ ପର୍ବତ ଅଞ୍ଚଳର ନିମ୍ନ ଜମି ସହ ଜଡ଼ିତ। ଏହାର କାରଣ ବରିଷ୍ଠ ରିସର୍ଚ୍ଚର ଏବଂ ପ୍ରାକ୍ଟିସନର ଡା. ହିମ୍ମାତରାଓ ବାବସ୍କାର ବାହାର କରିଛନ୍ତି। ଏଥିପାଇଁ ସେ ନିଜେ ଖର୍ଚ୍ଚ କରି ମୂଳରୁ ଶେଷ ପର୍ଯ୍ୟନ୍ତ ରିସର୍ଚ୍ଚ କରି ଏହି କାରଣ ପ୍ରକାଶ କରିଛନ୍ତି।
ଗହମ କାରଣ: ଯେଉଁ ଗ୍ରାମରେ ଲୋକେ ଚନ୍ଦା ହେଇଯାଉଛନ୍ତି, ସେଠାରେ ଲୋକେ ରାସନ ଦୋକାନ ଉପରେ ନିର୍ଭର କରୁଛନ୍ତି ଏବଂ ସେହି ରାସନ ଦୋକାନରେ ମିଳୁଥିବା ଗହମ ରୋଗର କାରଣ ସାଜିଛି।
ଡା. ବାବସ୍କର ବୋନ୍ଦଗାଁର ସରପଞ୍ଚ ରାମେଶ୍ୱର ଧାରକରଙ୍କଠାରୁ ସେଠାକାର ରାସନରେ ଆସୁଥିବା ଗହମ ଛାଷର ଫଟୋ ଏବଂ ସାମ୍ପୁଲ ମଗାଇଥିଲେ।
ଏହି ଯାଞ୍ଚରେ ଜଣାପଡିଥିଲା ଯେ, ଗହମ ଶିବାଲିକ ପର୍ବତ ଅଞ୍ଚଳର ନିମ୍ନ ଭାଗ ଜମିରେ ଚାଷ କରାଯାଉଛି। ଶିବାଲିକ ପର୍ବତ ଅଞ୍ଚଳରେ ବର୍ଷା ଦିନେ ବଡ଼ ବଡ଼ ଝରଣା ବହିଥାଏ। ସେଠାକାର ପଥରରୁ ସେଲେନିୟମର ମାତ୍ରା ଅଧିକ ହୋଇଥାଏ ଏବଂ ଝରଣାର ପାଣି ସହ ସେଲିନିୟମ ମଧ୍ୟ ଏହି ଚାଷ ଜମିରେ ମିଶିଯାଇଥାଏ।
ଅନ୍ୟ ଫସଲ ତୁଳନାରେ ଗହମ ଫସଲର ସେଲେନିୟମ ଅବଶୋଷିତ କରିବାର କ୍ଷମତା ଅଧିକ ହୋଇଥାଏ। ସେଠାରେ ଉତ୍ପନ୍ନ ହେଉଥିବା ଗହମ ବୁଲଢାଣାର ରାସନ ଦୋକାନରେ ବିକ୍ରି ହୁଏ। ଏଥିରୁ ପ୍ରସ୍ତୁତ ହେଉଥିବା ରୁଟିକୁ ୧୮ଟି ଗ୍ରାମର ଲୋକେ ଖାଉଛନ୍ତି। ଯେଉଁ କାରଣ ପାଇଁ ସେମାନେ ଚନ୍ଦାପଣର ଶିକାର ହୋଇଛନ୍ତି।