ବର୍ଷା ଦିନେ ରୁହନ୍ତୁ ସତର୍କ: ବିଦ୍ୟୁତ ସୁରକ୍ଷା ନିୟମ ପାଳିବାକୁ TPCODLର ପରାମର୍ଶ
ବିଦ୍ୟୁତ୍ ବ୍ୟବସ୍ଥାର ଯାଂଚ କରନ୍ତୁ । ଯେକୌଣସି ବିଦ୍ୟୁତ୍ ସମ୍ପର୍କିତ ବିପଦ ବିଷୟରେ ଆମ ୨୪ ଘଂଟିଆ ଦେୟମୁକ୍ତ ନମ୍ବରରେ କଲ କରନ୍ତୁ ।
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମୌସୁମୀ ଋତୁ ଲାଗି ପ୍ରସ୍ତୁତ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବଜାୟ ରଖିବା ଏବଂ ବର୍ଷା ଋତୁରେ ସମସ୍ତ ଗ୍ରାହକ ଓ ଅଂଶୀଦାରମାନଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ସୁରକ୍ଷା ପଦକ୍ଷେପଗୁଡ଼ିକ ପ୍ରସ୍ତୁତ କରାଯାଇଛି।
ମୌସୁମୀ ଋତୁରେ ପାଣି ଜମିବା, ବଜ୍ରପାତ ଓ ବିଦ୍ୟୁତ୍ ଯୋଗାଣରେ ଅସ୍ଥିରତା ଭଳି ଆହ୍ୱାନ ଦେଖାଦେଇଥାଏ।
ଏଭଳି ପରିସ୍ଥିତି ବିଦ୍ୟୁତ୍ ଜନିତ ଦୁର୍ଘଟଣାଗୁଡ଼ିକୁ ଏଡ଼ାଇବା ପାଇଁ ସଚେତନତା ଓ ପ୍ରତିଷେଧମୂଳକ ପଦକ୍ଷେପ ଆବଶ୍ୟକ। ନିଜକୁ, ନିଜ ପରିବାର ଓ ସଂପତିର ସୁରକ୍ଷା ପାଇଁ ସୁରକ୍ଷିତ ଅଭ୍ୟାସ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦିଆଯାଇଛି।
ଗ୍ରାହକଙ୍କ ପାଇଁ ମୌସୁମୀ ସମୟରେ ଜରୁରୀ ସୂଚନା
-ଜଳାର୍ଣ୍ଣବ ଅଂଚଳଠାରୁ ଦୂରେଇ ରହିବା: ଜଳାର୍ଣ୍ଣବ ଥିବା ଅଂଚଳରେ ପ୍ରବେଶ କରନ୍ତୁ ନାହିଁ , କାରଣ ପାଣି ଭିତରେ ବୁଡ଼ି ରହିଥିବା ବିଦ୍ୟୁତ୍ ତାର କିମ୍ବା ଆପ୍ଲାଏନ୍ସେସ୍ ବିଦ୍ୟୁତ୍ ଆଘାତ ଭଳି ଗୁରୁତର ବିପଦ ସୃଷ୍ଟି କରିପାରେ।
-ଇଲେକ୍ଟ୍ରିକ ସାମଗ୍ରୀ ତାରକୁ ପ୍ଲଗ୍ରୁ କାଢ଼ି ଦିଅନ୍ତୁ: ଘଡ଼ଘଡ଼ି, ପ୍ରବଳ ବର୍ଷା କିମ୍ବା ଝଡ଼ ସମୟର ବିଦ୍ୟୁତ୍ ପ୍ରବାହରେ ହଠାତ୍ ବୃଦ୍ଧି ଘଟିଥାଏ ଏହା ପ୍ରଭାବରୁ ସୁରକ୍ଷା ପାଇଁ ସମସ୍ତ ଅଣ ଅତ୍ୟାବଶ୍ୟକ ବିଦ୍ୟୁତ୍ ଆପ୍ଲାଏନ୍ସେସ୍ଗୁଡ଼ିକୁ ପ୍ଲଗ୍ରୁ କାଢ଼ି ଦିଅନ୍ତୁ।
-ବିଦ୍ୟୁତ୍ ବ୍ୟବସ୍ଥାର ଯାଂଚ କରନ୍ତୁ: ଆପଣଙ୍କ ଘରର ଓୟାରିଂ, ଆର୍ସିସିବି/ଇଏଲ୍ସିବି, ଏମ୍ସିବି ଓ ଫ୍ୟୁଜ୍ ଓ ଆର୍ଥିଂ ଠିକ୍ ଭାବେ କାମ କରୁଛି ନା ନାହିଁ ତାହାକୁ ନିୟମିତ ଭାବେ (ବର୍ଷକୁ ଅତିକମ୍ରେ ଥରେ) ଯାଂଚ କରନ୍ତୁ।
-ତଳେ ପଡ଼ିଥିବା ବିଦ୍ୟୁତ୍ ତାରଠାରୁ ଦୂରେଇ ରୁହନ୍ତୁ: ଯଦି କୌଣସି ବିଦ୍ୟୁତ୍ ତାର ତଳେ ପଡ଼ିଯାଇଛି ତେବେ ତା’ଠାରୁ ନିରାପଦ ଦୂରତା ବଜାୟ ରଖନ୍ତୁ ଏବଂ ଟିପିସିଓଡିଏଲ୍କୁ ସେ ବିଷୟରେ ତୁରନ୍ତ ଖବର ଦିଅନ୍ତୁ। ସେହିପରି, ବର୍ଷା ହେଉଥିବା ସମୟରେ କେବେବି ବିଦ୍ୟୁତ୍ ଖୁଂଟ କିମ୍ବା ବିଦ୍ୟୁତ୍ ପ୍ରବାହିତ ହେଉଥିବା ବୈଦୁୁ୍ୟତିକ ଢାଞ୍ଚାକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ ନାହିଁ।
-ବିଦ୍ୟୁତ୍ ଉପକରଣଗୁଡ଼ିକୁ ଶୁଖିଲା ରଖନ୍ତୁ: ଇଲେକ୍ଟ୍ରିକାଲ୍ ଉପକରଣ ଓ ସ୍ୱିଚ୍ଗୁଡ଼ିକୁ ଶୁଖିଲା ରଖନ୍ତୁ ଏବଂ ଯେଉଁଠାରେ ସମ୍ଭବ ଆଦ୍ରତାକୁ ଏଡ଼ାଇବା ପାଇଁ ୱାଟରପ୍ରୁଫ୍ କଭର ଲଗାନ୍ତୁ।
-ପିଲାମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କରେ ସଚେତନ କରନ୍ତୁ: ପିଲାମାନଙ୍କୁ ବିଦ୍ୟୁତ୍ର ବିପଦ ବିଷୟରେ ସଚେତନ କରନ୍ତୁ ଏବଂ ମୌସୁମୀ ଋତରେ ସୁରକ୍ଷିତ ଆଚରଣ ଉପରେ ଗୁରୁତ୍ୱ ଦିଅନ୍ତୁ।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ବିଶେଷ କରି ମୌସୁମୀ ଋତୁରେ ପାଣିପାଗ ସ୍ଥିତି ଯୋଗୁଁ ବିପଦ ଆଶଙ୍କା ବୃଦ୍ଧି ପାଉଥିବାରୁ ଟିପିସିଓଡିଏଲ୍ରେ ଆମେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛୁ। ସତର୍କ ରହିବା ଏବଂ ଏହି ସରଳ ତଥା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପଦକ୍ଷେପଗୁଡ଼ିକୁ ପାଳନ କରିବା ପାଇ ଆମେ ଆମ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦେଉଛୁ।
ଗ୍ରାହକମାନେ ଜରୁରୀକାଳୀନ ସ୍ଥିତି, ବିଦ୍ୟୁତ୍ ବିଭ୍ରାଟ ଏବଂ ଯେକୌଣସି ବିଦ୍ୟୁତ୍ ସମ୍ପର୍କିତ ବିପଦ ବିଷୟରେ ଆମ ୨୪ ଘଂଟିଆ ଦେୟମୁକ୍ତ ନମ୍ବର: ୧୮୦୦-୩୪୫-୭୧୨୨ କିମ୍ବା ୧୯୧୨, ଅଫିସିଆଲ ୱେବସାଇଟ୍: www.tpcentralodisha.com ଏବଂ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ଥିବା ମିତ୍ର ଆପ୍ ଜରିଆରେ ସୂଚନା ଦେଇପାରିବେ।
ଟିପିସିଓଡିଏଲ୍ ସର୍ବଦା ଏହାର ସମସ୍ତ ଗ୍ରାହକଙ୍କୁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ କରିବା ଉପରେ କାମ କରୁଛି।