ଟ୍ରାଫିକ ବ୍ୟବସ୍ଥାରେ ଆସିବ ବଡ଼ ସଂସ୍କାର: ସହରକୁ ଜଗିବ ସ୍ୱୟଂକ୍ରିୟ ସିସିଟିଭି, ରାସ୍ତାରୁ ହଟିବେ ପୋଲିସ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସହରର ଛକ ଓ ବଜାରମାନଙ୍କରେ ଆଉ ଟ୍ରାଫିକ ପୋଲିସ ଜଗିବେ ନାହିଁ । ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଆସିବ ଏକ ବଡ଼ ସଂସ୍କାର । ପୋଲିସ କର୍ମଚାରୀଙ୍କ ସ୍ଥାନରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ ଓ ନିୟମ ଉଲ୍ଲଂଘନକାରୀଙ୍କୁ ଦିଆଯିବ ଦଣ୍ଡ । ସ୍ୱୟଂକ୍ରିୟ ସିସିଟିଭି ଜରିଆରେ ଅମାନିଆଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଘରକୁ ଚାଲାଣ ପଠାଯିବ ।

ପୂର୍ବରୁ ଟ୍ୱିନସିଟିରେ ଏହି ସିଷ୍ଟମ ଲାଗୁ କରାଯାଇଥିବା ବେଳେ ଏବେ ଆଉ ୫ଟି ସହରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ରାଜ୍ୟର ଭୁବନେଶ୍ୱର, କଟକ ସମେତ ତାଳଚେର, ରାଉରକେଲା, କଳିଙ୍ଗନଗର, ବାଲେଶ୍ୱର ଓ ଅନୁଗୁଳ ଆଦି ୭ଟି ସହରରେ ଏହାକୁ ଲାଗୁ କରିବା ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ୟାମେରା ଲେନ୍ସରେ ସେନସର ଇନଷ୍ଟଲ ହେବା ପରେ ନୂଆ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ଓ ଅଟୋମେଟିକ ଭାବେ ଅମାନିକଙ୍କ କାର୍ଯ୍ୟକଳାପ କଏଦ୍ ହୋଇଯିବ ।

ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ମାର୍ଟସିଟି ଲିମିଟେଡକୁ ଚିଠି ଲେଖି ଅବଗତ କରାଯାଇଛି । ସହରରେ ଲଗାଯାଇଥିବା ସିସିଟିଭିଗୁଡ଼ିକରେ ସେନସର ଲଗାଯିବ । ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଏବେ ଓଡ଼ିଶା ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ବ୍ୟବସ୍ଥା ଫଳରେ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି । ପୋଲିସ ଗାଡ଼ି ଯାଞ୍ଚରେ ବ୍ୟସ୍ତ ରହିବା ଫଳରେ ଆଇନ ଶୃଙ୍ଖଳା ଓ ଅପରାଧ ଦମନ ପାଇଁ ଲୋକବଳର ଅଭାବ ଦେଖାଯାଉଛି । ଅନେକ ସମୟରେ ଟ୍ରାଫିକ ପୋଲିସକୁ ଆକ୍ରମଣ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ତେଣୁ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।