fbpx

ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗରେ ଜବାବ ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ ଅନୁଧ୍ୟାନ କରିବା ସହ ପ୍ରତି ଜିଲ୍ଲାକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ତେବେ ଗତ କିଛି ଦିନ ହେବ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରିବା ସହ ତାଙ୍କର ଖର୍ଚ୍ଚ ସମ୍ପର୍କରେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି ବିରୋଧୀ । ବିଶେଷକରି ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଏହି ଗସ୍ତ ଲାଗି ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବହୁ ସମୟରେ ବିରୋଧୀ ଦଳ ନେତାମାନେ ମଧ୍ୟ କହିଛନ୍ତି ।

ଆଉ ଯାହାର ଜବାବ ଆଜି ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି ବୋଲି ମଧ୍ୟ ସୂଚନା ଦେଇଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ଟ୍ୱିଟ୍‌ କରି ସେ ଲେଖିଛନ୍ତି ଯେ, କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛି ତାହା ଦେଖି ସେମାନଙ୍କର ମୁଣ୍ଡ କାମ କରୁନି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି ।

କିଏ କହୁଛି ହେଲିକପ୍ଟର ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ’ କିଏ କହୁଛି ୫୦୦ କୋଟି । ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ । ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି । ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି । ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି । ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର ବୋଲି ମନ୍ତ୍ରୀ ଟୁକୁନି ସାହୁ ନିଜର ଏକ୍ସ(ଟୁଇଟ) ମାଧ୍ୟମରେ କହିଛନ୍ତି ।

Get real time updates directly on you device, subscribe now.