fbpx

ସେଦିନ ବି ଥିଲେ, ଆଉ ଆଜି ବି… ଏହି ଖେଳାଳିଙ୍କ ପାଇଁ ICC ଫାଇନାଲରେ ହାରୁଛି ଟିମ ଇଣ୍ଡିଆ

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ଭାରତର ୨୪୧ ରନ୍ ଟାର୍ଗେଟକୁ ମାତ୍ର ୪୩ ଓଭରରେ ହାସଲ କରି ବିଶ୍ୱବିଜୟୀ ହୋଇଛି କମିନ୍ସ ସେନା । ତେବେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଟ୍ରାଭିସ ହେଡ୍ ଏହି ପରାଜୟରେ ଭାରତ ପାଇଁ ବଡ଼ ଶତ୍ରୁ ପାଲଟିଛନ୍ତି । ଷ୍ଟାର ଓପନର ଟ୍ରାଭିସ ହେଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଇସିସି ଦିନିକିଆ ବିଶ୍ୱକପ ଟ୍ରଫି ନିଜ ନାମରେ କରିଛି । ଚଳିତ ଦିନିକିଆ ବିଶ୍ୱକପ ପୂର୍ବରୁ ଆଇସିସି ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ମଧ୍ୟ ଭାରତ ପାଇଁ କାଳ ସାଜିଥିଲା ଟ୍ରାଭିସ ହେଡଙ୍କ ଶତକ । ଲଗାତାର ଦୁଇଟି ଆଇସିସି ଫାଇନାଲରେ ଟ୍ରାଭିସ ହେଡଙ୍କ ପାଇଁ ଭାରତ ଟ୍ରଫି ହାତେଇବାରୁ ବଞ୍ଚିତ ହୋଇଛି ।

ଆଇସିସି ଦିନିକିଆ ବିଶ୍ୱକପର ନୂଆ ଚମ୍ପିଆନ୍ ଅଷ୍ଟ୍ରେଲିଆର ହିରୋ ସାଜିଛନ୍ତି ଟ୍ରାଭିସ ହେଡ । ଥରେ ନୁହେଁ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ସେ ଫାଇନାଲ ଜିତାଇଛନ୍ତି । ଆଜି ଭାରତ ବିପକ୍ଷରେ ୧୨୦ ବଲରୁ ୧୩୭ ରନର ଦମଦାର ଶତକୀୟ ଇନିଂସ ବଳରେ ସେ ଅଷ୍ଟ୍ରଲିଆକୁ ବିଶ୍ୱବିଜୟୀ କରାଇଛନ୍ତି । ୧୫ଟି ଚୌକା ଏବଂ ୪ଟି ଛକା ସହିତ ଭାରତ ହାତରୁ ଏହି ଟ୍ରଫି ଛଡ଼ାଇ ନେଇଛନ୍ତି ଟ୍ରାଭିସ ହେଡ । ମାତ୍ର ୪୭ ରନରେ ୩ଟି ୱିକେଟ ହରାଇ ଅଷ୍ଟ୍ରେଲିଆ ଚିନ୍ତାରେ ପଡ଼ି ଯାଇଥିବା ବେଳେ ଟ୍ରାଭିସ ଏବଂ ମାର୍ନସ ଲାବୁସେନଙ୍କ ମଧ୍ୟରେ ୧୯୨ ରନର ପାର୍ଟନରସିପ ଅଷ୍ଟ୍ରେଲିଆକୁ ଟ୍ରଫି ଧରାଇ ଦେଇଛି । ତେବେ ଟ୍ରାଭିସ ଏହି ମ୍ୟାଚରେ ୧୩୭ ରନ୍ କରିଥିବା ବେଳେ ମାର୍ନସ ଲାବୁସେନ ୫୮ ରନ୍ କରି ଅପରାଜିତ ରହିଛନ୍ତି ।

ଏହାପୂର୍ବରୁ ଆଇସିସିର ଟେଷ୍ଟ ଚମ୍ପିଆନସିପରେ ମଧ୍ୟ ଭାରତ ପାଇଁ ପରାଜୟର କାରଣ ପାଲଟିଥିଲେ ଟ୍ରାଭିସ ହେଡ୍ । ଏହି ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୬୯ ରନର ବିଶାଳକାୟ ସ୍କୋର ଛିଡ଼ା କରିଥିଲା । ଏହି ମ୍ୟାଚରେ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ଟ୍ରାଭିସ । ୧୭୪ ବଲରୁ ୧୬୩ ରନ୍ କରି ସେ ଟିମ ଇଣ୍ଡିଆର ବିଶ୍ୱବିଜୟୀ ହେବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲେ । ଟ୍ରାଭିସଙ୍କ ଏହି ଶତକୀୟ ଇନିଂସରେ ୨୫ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ଏହି ଶତକ ବଳରେ ଭାରତକୁ ୨୦୯ ରନରେ ପରାସ୍ତ କରି ବିଶ୍ୱର ସର୍ବଶ୍ରେଷ୍ଠ ଦଳ ଭାବରେ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ । ଉଭୟ ମ୍ୟାଚରେ ଟ୍ରାଭିସ ହେଡଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଛି ।

Get real time updates directly on you device, subscribe now.