fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଶେଷାଧିକାର ହନନ ନୋଟିସ୍ ଜାରି କଲା ଟିଆରଏସ

ନୂଆଦିଲ୍ଲୀ: ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର ଚାରି ରାଜ୍ୟସଭା ସଦସ୍ୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ଏକ ନୋଟିସ୍ ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସଂସଦର ଅପମାନିତ କରିବା ସହିତ ବଦନାମ କରିଛନ୍ତି। ଏଥିପାଇଁ ଟିଆରଏସର ରାଜ୍ୟସଭା ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିଶେଷାଧିକାର ହନନ ନୋଟିସ୍ ଆଣିଛନ୍ତି।

ଟିଆରଏସ ସାଂସଦ କେଶବ ରାଓ, ଜେ ସନ୍ତୋ କୁମାର, ବି ଲିଙ୍ଗେୟା ଯାଦବ ଏବଂ କେଆର ସୁରେଶ ରେଡ୍ଡୀ ନୋଟିସ୍ ଉପରେ ଦସ୍ତଖତ କରିଛନ୍ତି। ଏଥିରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ବିଧେୟକ ପାରିତ ହେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଥିଲେ।

ସାଂସଦ କହିଛନ୍ତି, ମୋଦୀ ସଂସଦର ଉଭୟ ଗୃହରେ ବହୁତ ନିନ୍ଦନୀୟ ଭାବେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ବିଧେୟକ ପାରିତ ଉପରେ ଟିପ୍ପଣୀ କରିଛନ୍ତି। ଏହି ବୟାନ ସଂସଦର ଉଭୟ ଗୃହକୁ ଅପମାନିତ କରିଛି। ଏମିତି ଟିପ୍ପଣୀ ଗୃହର ପ୍ରକ୍ରିୟା, କାର୍ଯ୍ୟ ଏବଂ ଏହାର କାର୍ଯ୍ୟଶୈଳୀକୁ ବଦନାମ କରିଥାଏ ବୋଲି ଟିଆରଏସ ସାଂସଦ କହିଛନ୍ତି।

ଉପ ସଭାପତି ହରିବଂଶ କହିଛନ୍ତି, ନୋଟିସ୍ ବର୍ତ୍ତମାନ ରାଜ୍ୟସଭାର ଅଧ୍ୟକ୍ଷଙ୍କ ନିକଟରେ ବିଚାରଧୀନ ରହିଛି। ଯେ ପର୍ଯ୍ୟନ୍ତ ସେ ଏହାକୁ ମଞ୍ଜୁର କରି ନାହାନ୍ତି, ସେ ପର୍ଯ୍ୟନ୍ତ ଏହା ଉପରେ କୌଣସି ଆଲୋଚନା ହୋଇ ପାରିବ ନାହିଁ। ଏହାର ପ୍ରତିବାଦରେ ଟିଆରଏସର ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି। ଏହି ପ୍ରସଙ୍ଗରେ ଟିଆରଏସକୁ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ତୃଣମୂଳ କଂଗ୍ରେସର ସମର୍ଥନ ମିଳିଛି।

କଣ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଜବାବ ଦେଇ କହିଥିଲେ, ତତ୍କାଳୀନ କଂଗ୍ରେସ ସରକାର ବହୁନ ନିନ୍ଦନୀୟ ଭାବେ ଆନ୍ଧ୍ର ପ୍ରଦେଶର ବିଭାଜନ କରିଥିଲେ। ଗୃହରେ ମାଇକ ବନ୍ଦ କରି ଦିଆଯାଇଥିଲା। ଲଙ୍କା ଗୁଣ୍ଡ ସ୍ପ୍ରେ କରାଯାଇଥିଲା, କୌଣସି ଆଲୋଚନା ମଧ୍ୟ କରାଗଲା ନାହିଁ। କଣ ଏହି ତରିକା ଠିକ୍ ଥିଲା ? କଣ ଏହା ଗଣତନ୍ତ୍ରରେ ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଥିଲେ।

 

Get real time updates directly on you device, subscribe now.