ନୂଆଦିଲ୍ଲୀ,୩ା୬: ମଙ୍ଗଳବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ ପାକିସ୍ତାନ ସହିତ ଯୁଦ୍ଧବିରତିରେ ଟ୍ରମ୍ପଙ୍କ ଦାବିକୁ ଉଲ୍ଲେଖ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ଭୋପାଳରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ଟ୍ରମ୍ଫଙ୍କଠାରୁ ଏକ ଫୋନ୍ ଆସିଲା ଏବଂ ନରେନ୍ଦ୍ର ଜୀ ତୁରନ୍ତ ଆତ୍ମସମର୍ପଣ କରିଥିଲେ। ଇତିହାସ ସାକ୍ଷୀ ଅଛି ଯେ, ଏହା ବିଜେପି-ଆରଏସଏସର ଚରିତ୍ର, ସେମାନେ ସବୁବେଳେ ମୁଣ୍ଡ ନୁଆଁଇଥାନ୍ତି।’
ରାହୁଲ କହିଛନ୍ତି, ‘ଆମେରିକାର ଧମକ ସତ୍ତ୍ୱେ ଭାରତ ୧୯୭୧ରେ ପାକିସ୍ତାନକୁ ଭାଙ୍ଗିଥିଲା। କଂଗ୍ରେସର ବବର ସିଂହ ଏବଂ ସିଂହୀମାନେ ମହାଶକ୍ତି ସହିତ ଲଢ଼ିଥିଲେ ଏବଂ କେବେ ମୁଣ୍ଡ ନୁଆଁଇ ନ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ, ଏହା ଏକ ଫୋନ୍ କଲ୍ ନୁହେଁ ବରଂ ସପ୍ତମ ନୌବାହିନୀ ଆସିଥିଲା, କିନ୍ତୁ ଇନ୍ଦିରା ଗାନ୍ଧୀ କହିଥିଲେ ଯେ, ମୁଁ ଯାହା କରିବାକୁ ପଡ଼ିବ ମୁଁ ତାହା କରିବି। କଂଗ୍ରେସ ଦଳ ଆତ୍ମସମର୍ପଣ କରେ ନାହିଁ। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ ଆତ୍ମସମର୍ପଣକାରୀ ଲୋକ ନୁହନ୍ତି, ବରଂ ମହାଶକ୍ତି ସହିତ ଲଢ଼ିବା ଲୋକ।’ ରାହୁଲ ‘କହିଛନ୍ତି, ‘ଗୋଟିଏ ପଟେ କଂଗ୍ରେସ ଦଳ ଏବଂ ଦେଶର ସମ୍ବିଧାନ ଅଛି। ଅନ୍ୟପଟେ ବିଜେପି-ଆରଏସଏସ ଅଛି, ଯାହା ସମ୍ବିଧାନକୁ ନଷ୍ଟ କରିବାରେ ନିୟୋଜିତ।’ ସେ ଜାତି ଜନଗଣନା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଚାପ ଯୋଗୁ ବିଜେପି ଏବଂ ଆରଏସଏସର ଲୋକମାନେ ଜାତି ଜନଗଣନା ବିଷୟରେ କହୁଛନ୍ତି।
ରାହୁଲ କହିଛନ୍ତି, ‘ଆମେ କହିଥିଲୁ ଯେ ଆମେ ସାମାଜିକ ନ୍ୟାୟ ପାଇଁ ଲଢ଼ିବୁ ଏବଂ ଲୋକସଭାରେ ଜାତି ଜନଗଣନା ପାସ୍ କରାଇବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋହନ ଭାଗବତ, ନୀତିନ ଗଡକରୀ ଏହା ଉପରେ ଅନେକ କଥା କହିଥିଲେ, କିନ୍ତୁ ସେମାନଙ୍କ ଉପରେ ଟିକେ ଚାପ ପଡ଼ିଥିଲା ଏବଂ ସେମାନେ ଆତ୍ମସମର୍ପଣ କରିଥିଲେ। ବିଜେପି-ଆରଏସଏସର ଲୋକମାନେ ଚାପରେ ଜାତି ଜନଗଣନା ବିଷୟରେ କହିଛନ୍ତି, କିନ୍ତୁ ଜାତି ଜନଗଣନା କରିବାକୁ ଚାହାନ୍ତି ନାହିଁ। ଏହି ଲୋକମାନେ ଦେଶରେ ନ୍ୟାୟ ଚାହାନ୍ତି ନାହିଁ ବୋଲି କହି ପ୍ରବଳ ବର୍ଷିଛନ୍ତ ରାହୁଲ।’