(Video) ଚେନ୍ନାଇ ପଳାଇଲେ ବାବୁସାନ୍-ପ୍ରକୃତି: ପ୍ରେମସମ୍ପର୍କକୁ ନେଇ ତୃପ୍ତିଙ୍କ ମାଉସୀ କଲେ ବଡ଼ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଚର୍ଚ୍ଚିତ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଘର କଳି ଏବେ ସର୍ବସମ୍ମୁଖକୁ ଆସିଛି । ଆଜି ସକାଳଳେଭୁବନେଶ୍ୱର ସତ୍ୟନଗରରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ବେଳେ ତାଙ୍କୁ ଧରିପକାଇଥିଲେ ଅଭିନେତାଙ୍କ ପତ୍ନୀ ତୃପ୍ତି ମହାନ୍ତି । ଖାରବେଳନଗର ଥାନାରେ ପ୍ରକୃତିଙ୍କ ବାପାମାଆ ଅଭିଯୋଗ କରିଛନ୍ତି । ଝିଅର ମାନହାନୀ ହୋଇଥିବା ନେଇ ପ୍ରକୃତିଙ୍କ ବାପାମାଆ ଅଭିଯୋଗ କରିଥିବା ଜଣାପଡିଛି । ଏବେ ଚେନ୍ନାଇରେ ଅଛନ୍ତି ବାବୁସାନ ଓ ପ୍ରକୃତି । ଚେନ୍ନାଇରେ ଥିବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବାବୁସାନ୍ । ପ୍ରକୃତି ମିଶ୍ର ମଧ୍ୟ ଚେନ୍ନାଇରେ ଥିବା ତାଙ୍କ ବାପା କହିଛନ୍ତି । ଏହାରି ମଧ୍ୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତିଙ୍କ ମାଉସୀ ବଡ଼ ଖୁଲାସା କରିଛନ୍ତି । ଏପରି ଘଟଣା ୨ ବର୍ଷ ହେଲା ଚାଲିଛି ବୋଲି ସେ କହିଛନ୍ତି ।

ତେବେ ଆଜିର ଭିଡିଓ ଭାଇରାଲ ପରେ ତୃପ୍ତିଙ୍କ ମାଉସୀ କହିଛନ୍ତି ଯେ, ‘ମୋ ଝିଆରୀ ଆଜି ଯାହା କରିଛି ତାହା ବହୁ ପୂର୍ବରୁ କରିବାର ଥିଲା । ବାବୁସାନ୍ ବାହା ହୋଇଥିବା ବେଳେ ତାଙ୍କର ବର୍ଷେ ୩ ମାସର ପୁଅ ରହିଛି । କିନ୍ତୁ ସେ ନିଜ ସ୍ତ୍ରୀ ଓ ପୁଅକୁ ପଚାରୁନାହାନ୍ତି । ପ୍ରକୃତି ମିଶ୍ର ସହ ବାବୁସାନ୍ ରହୁଥିବା ବେଳେ ସେ ଅଭିନେତାଙ୍କୁ ଡ୍ରଗ୍ସ ଓ ଆଲକହଲ ଦେଉଛି । ମୋ ଝିଆରିର ଲଭ ମ୍ୟାରେଜ୍ ହୋଇଥିବାରୁ ସେ ଚୁପ୍ ଥିଲା । ବାବୁସାନ୍ ନିଜେ ଫୋନ କରି ପ୍ରକୃତି ମିଶ୍ର ସହ ରହୁଥିବା କଥା ପତ୍ନୀଙ୍କୁ କହିଥିଲେ । ଏହା ସହ ବାବୁସାନ ବର୍ଷେ ହେବ ଘରକୁ ମଧ୍ୟ ଆସୁନାହାନ୍ତି । କିଛି ଜିନିଷ ଦରକାର ହେଲେ ଘରକୁ ଆସି ନେଇ ପଳାଉଛନ୍ତି ପଛେ, ଘରେ କେବେ ରହୁନାହାନ୍ତି । ପୁଅ ଓ ସ୍ତ୍ରୀ ସହ କିଛି ସମ୍ପର୍କ ରଖୁନାହାନ୍ତି ଅଭିନେତା ।’

ଯେତେବେଳେ ବି ବାବୁସାନ ଘରକୁ ଯାଆନ୍ତି, ସବୁବେଳେ ମଦ ନିଶାରେ ଚୂର ଥାନ୍ତି । ମଦ ଯୋଗୁଁ ବାବୁସାନଙ୍କ ଲିଭର ମଧ୍ୟ ଖରାପ ହୋଇଛି । ୮ ମାସ ପୂର୍ବେ ୩୦% ଲିଭର ଖରାପ ହୋଇଥିଲା । ଦୁହିଁଙ୍କ ସମ୍ପର୍କକୁ ନେଇ ପ୍ରକୃତିଙ୍କ ବାପାମାଆ ମଧ୍ୟ ଜାଣିଥିଲେ । ଏବିଷୟରେ ତାଙ୍କୁ କହିବାରୁ ସେ କହିଥିଲେ ଯେ, ‘ବାବୁସାନ୍ ଓ ପ୍ରକୃତି ପାଗଳ ହୋଇଗଲେଣି । ମୁଁ ତାଙ୍କ ମାମଲାରେ କିଛି କରିପାରିବି ନାହିଁ । ଆପଣ ଯଦି ଅଭିଯୋଗ କରିବାକୁ କହୁଛନ୍ତି, ତେବେ କରନ୍ତୁ । ସେମାନେ ମୋ ନିୟନ୍ତ୍ରଣରେ ନାହାନ୍ତି ।’

ସ୍ୱାମୀ ଓ ଶାଶୂ-ଶ୍ୱଶୁରଙ୍କ ମାନ ସମ୍ମାନକୁ ଦୃଷ୍ଟିରେ ରଖି ତୃପ୍ତି ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ କରିନଥିବା ତାଙ୍କ ମାଉସୀ କହିଛନ୍ତି । ଏହା ସହ ୩୦ରେ ବାବୁସାନଙ୍କ ଜନ୍ମଦିନ ଆସୁଛି, ଯାହାକୁ ପାଳନ କରିବାକୁ ଉଭୟେ ଆଣ୍ଡାମାନ ଯିବାକୁ ପ୍ଲାନ କରୁଥିଲେ । ଏହାର ସୂଚନା ପାଇବା ପରେ ଆଜି ସକାଳେ ତୃପ୍ତି ସେମାନଙ୍କୁ ଧରିଥିଲେ । ଏହା ସହ ସତ୍ୟନଗରରେ ଭଡ଼ାଘରେ ପ୍ରକୃତି ଓ ବାବୁସାନ୍ ରହୁଥିଲେ ବୋଲି ତୃପ୍ତିଙ୍କ ମାଉସୀ କହିଛନ୍ତି ।

ସୂଚନା ଅନୁସାରେ, ବାବୁସାନ୍ ଓ ପ୍ରକୃତି ମିଶ୍ର ଫର୍ଚ୍ୟୁନ୍ ଗାଡ଼ିରେ ଯାଉଥିବା ବେଳେ ତୃପ୍ତି ମହାନ୍ତି ତାଙ୍କୁ ଅଟକାଇଥିଲେ । ରାସ୍ତାରେ ପ୍ରାୟ ୨ ଘଣ୍ଟା ଧରି ଷ୍ଟାର ଦମ୍ପତିଙ୍କ ମଧ୍ୟରେ କଳି ଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାବୁସାନ୍ ଅନେକ ସମୟରେ ଏହି ସ୍ଥାନକୁ ଆସନ୍ତି । ଏଠାରେ ଏକ ଗେଷ୍ଟ ହାଉସ୍ ରହିଛି, ଯାହାକୁ ୩ ଦିନ ପାଇଁ ପ୍ରକୃତି ମିଶ୍ର ବୁକ୍ କରିଥିଲେ । କିନ୍ତୁ ସେ କାହିଁକି ବୁକ୍ କରିଥିଲେ ଓ କାହା ସହ ଏଠାରେ ଆସି ରହୁଥିଲେ, ସେନେଇ କୌଣସି ସୂଚନା ମିଳିନାହିଁ ।