fbpx

ତୁର୍କୀ, ସିରିଆ ଭୂମିକମ୍ପର ପ୍ରଭାବ: ଗାଁ ହୋଇଗଲା ଦୁଇ ଭାଗ, ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ,୧୯ା୨: ତୁର୍କୀ ଓ ସିରିଆ ଭୂମିକମ୍ପକୁ ଇତିମଧ୍ୟରେ ୧୦ ଦିନରୁ ଊର୍ଦ୍ଧ୍ୱ ବିତିଗଲାଣି। ଏହି ଭୂମିକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ହଜାରରୁ ଊର୍ଦ୍ଧ୍ୱ ମୃତଦେହ ଉଦ୍ଧାର କରାଯାଇ ସାରିଲାଣି। ପ୍ରାୟ ୩ ଲକ୍ଷ ଆପାର୍ଟମେଣ୍ଟ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ
ପାଇଯାଇଛି। ତୁର୍କୀରେ ମୃତ୍ୟୁ ସଂଖ୍ୟା ୪୦ ହଜାର ଡେଇଁଥିବା ବେଳେ ସିରିଆରେ ମଧ୍ୟ ଏହା ୬ ହଜାର ଉପରେ ରହିଛି। ତେବେ ଏହି ଭୂମିକମ୍ପରେ ତୁର୍କୀର ବ୍ୟାପକ କ୍ଷୟକ୍ଷତି ଘଟିଛି। ଦକ୍ଷିଣ ତୁର୍କୀରେ ରହିଥିବା ଏକ ଗାଁ ଭୂମିକମ୍ପ ଯୋଗୁଁ
ଦୁଇଭାଗ ହୋଇଯାଇଥିବା ସୂଚନା ମିଳିଛି।

ସାରା ଗାଁ ପୋଖରୀରେ ପରିଣତ ହୋଇଥିବା ବେଳେ ଘରଗୁଡ଼ିକ ଏବେ ଟାପୁ ଉପରେ ରହିଥିବା ଭଳି ଦେଖାଯାଉଛି। ଭୂମିକମ୍ପ ମାଟିତଳୁ ବାଲି ଓ ପାଣିକୁ ଉପରକୁ ଉଠାଇ ଦେଇଛି। ଘରଗୁଡ଼ିକ ମାଟିରେ ପୋତି ହୋଇଯାଇଥିବା ବେଳେ ଦୁଇ ମହଲାରେ ରହୁଥିବା ଲୋକମାନେ ଘରର ଝରକା ଦେଇ ଯିବାଆସିବା କରୁଛନ୍ତି। ଏପରିକି କେତେକ ଘର ଯାହାକି ଆଉ ଆଦୌ ଦେଖା ଯାଉନଥିବା ବେଳେ ତାର ଛାତ କେବଳ ଦେଖା ଯାଉଛି। ଅନ୍ୟପକ୍ଷରେ ଶନିବାର ରାତିରେ ଉଦ୍ଧାରକାରୀ ଦଳ ତୁର୍କୀର ଦକ୍ଷିଣାଞ୍ଚଳରେ ମାଟିତଳୁ ଗୋଟିଏ ପରିବାରରୁ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଏବେବି ବହୁ ଲୋକ ନିଖୋଜ ରହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ ତୁର୍କୀରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ର ତୁର୍କୀକୁ ସହାୟତାର ହାତ ବଢାଇଥିବା ବେଳେ ତୁର୍କୀ ସରକାର ପାକିସ୍ତାନର ସହାୟତାକୁ ଫେରାଇ ଦେଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.