fbpx

ନିଃଶ୍ୱାସ ନେଇପାରୁନି ତୁର୍କୀ, ଜଳୁଛି ୭୦ରୁ ଅଧିକ ଜଙ୍ଗଲ

ଇସ୍ତାନବୁଲ୍: କିଛି ଦିନ ହେବ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଯାହା କି ଲିଭିବାର ନାଁ ଧରୁନି । ଧୀରେ ଧୀରେ ଏହା ଏକାଧିକ ଜଙ୍ଗଲରେ ବ୍ୟାପିବାରେ ଲାଗିଛି । ଯଦ୍ୱାରା ତୁର୍କୀ ଏବେ ଧୂଆଁମୟ ହୋଇଯାଇଛି । ଲୋକମାନଙ୍କ ନିଃଶ୍ୱାସ ନେବାରେ ଅନେକ ଅସୁବିଧା ଭୋଗୁଛନ୍ତି । ତେବେ ଭୀଷଣ ନିଆଁରେ ୪ଜଣ ଲୋକ ପ୍ରାଣ ହରାଇଲେଣି  ଓ ଏଥିସହିତ ଅନେକ ସଂଖ୍ୟାରେ ଲୋକେ ଆହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଦେଶର ୭୦ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ଗରମ ଓ ପ୍ରବଳ ପବନ କାରଣରୁ ଏହି ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଛି । ଏହି ଭୀଷଣ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୪ହଜାରରୁ ଅଧିକ ଦମକଳ କର୍ମୀ ହେଲିକପ୍ଟର୍ ଏବଂ ବିମାନ ଜରିଆରେ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ଅଧିକାରୀ ମାନେ ଘୋଷଣା କରିଛନ୍ତି ଯେ, ପ୍ରାୟ ୧୦୦ ଅଗ୍ନିଶମ କର୍ମଚାରୀ ଏବଂ ୮୦ ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଧୂଆଁରେ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଅନେକ ଆବାସିକ ଅଞ୍ଚଳ, ଗ୍ରାମ ଏବଂ ପର୍ୟ୍ୟଟନ ସ୍ଥଳ କ୍ଷତିଗ୍ରସ୍ତ ହୋଇଛି ।

ଏଥିରେ ଅନେକ ଚାଷ ଜମି ଓ ବନ୍ୟଜନ୍ତୁଙ୍କ ଜବୀନ ମଧ୍ୟ ଚାଲିଯାଇଛି । ଯଦିଓ ଅଧିକାଂଶ ସ୍ଥାନରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ନିଆଯାଇଛି, ତଥାପି ଶନିବାର କ୍ରମାଗତ ଚତୁର୍ଥ ଦିନ ଦେଶର ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣରେ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଜାରି ରହିଛି। ଏକାସାଙ୍ଗରେ ଅନେକ ଗୁଡ଼ିଏ ସ୍ଥାନରେ ନିଆଁ ଲାଗିବାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି । ତେଣୁ ଏହାର ଯାଞ୍ଚ ମଧ୍ୟ ଆରମ୍ଭ କରାଯାଇଛି । ବିଭିନ୍ନ ସ୍ଥାନରେ ଏହା ଭୟଙ୍କର ରୂପରେ ପରିଣତ ହେଉଛି ।

Get real time updates directly on you device, subscribe now.