fbpx

ବିପଦରେ ୨୦ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ଜୀବନ: ଖାଇବାକୁ ମିଳୁନି କି ଯୋଗାଯୋଗ ସମ୍ଭବ ହେଉନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଗତକାଲି ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିଲେ । ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପାଠ ପଢ଼ୁଥିବା ନବୀନ ଶେଖାରପ୍ପା ଜ୍ଞାନଗୌଡାର ଖାଇବାକୁ ଆଣିବାକୁ ଯିବା ସମୟରେ ରୁଷର ଶେଲିଂ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ତେବେ ଇତିମଧ୍ୟରେ ଓଡ଼ିଶାର ରାଉରକେଲାର ୧୫ରୁ ୨୦ ଜଣ ମେଡିକାଲ ଛାତ୍ର ଖାରକିଭ ସହରରେ ଫସି ରହିଥିବା ଜଣାପଡ଼ିଛି । ଆଜି ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଏହି ପିଲାମାନଙ୍କର ଅଭିଭାବକଙ୍କ ଆଖିରୁ ନିଦ ହଜି ଯାଇଛି ।

ଖାରକିଭକୁ ଦଖଲ କରିବା ପାଇଁ ରୁଷ ସେନା ପକ୍ଷରୁ ବାରମ୍ବାର ରକେଟ ମାଡ଼ କରାଯାଉଥିବା ବେଳେ ଛାତ୍ରମାନଙ୍କର ଜୀବନ ବିପଦ ମଧ୍ୟରେ ରହିଛି । ବର୍ତ୍ତମାନ ଉକ୍ତ ଛାତ୍ରମାନେ ଏକ ମେଟ୍ରୋ ବଙ୍କରରେ ଆଶ୍ରୟ ନେଇଥିବା ବେଳେ ସେଠାରେ ଖାଇବାକୁ ପାଉନଥିବା ଫୋନ୍ କରି ଜଣାଇଛନ୍ତି । ଅଭିଭାକମାନେ ସେମାନଙ୍କର ପିଲାମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ହେଁ ତାହା ସମ୍ଭବ ହେଉନାହିଁ । ପିଲାମାନେ ବଙ୍କର ବାହାରକୁ ଆସିବା ପରେ ହିଁ ଯୋଗାଯୋଗ କରିବା ସମ୍ଭବ ହେଉଛି ।

ତେବେ ଅନ୍ୟ ଦେଶର ଲୋକ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ବେଳେ ଭାରତୀୟ ଛାତ୍ରଙ୍କୁ ନିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ବେଳକୁ ବେଳ ଖାରକିଭର ସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ବେଳେ ଘନ ଘନ ରକେଟ୍ ମାଡ଼ ହେଉଛି । ଏଭଳି ସ୍ଥିତିରେ ଅଭିଭାବକମାନେ କେବଳ ଈଶ୍ୱରଙ୍କ ଉପରେ ହିଁ ଭରସା କରି ରହିଛନ୍ତି । ତେଣୁ ସରକାର ତୁରନ୍ତ ସେମାନଙ୍କ ପିଲାମାନଙ୍କୁ ଉଦ୍ଧାର କରନ୍ତୁ ବୋଲି ହତାଶଭରା କଣ୍ଠାରେ ନିବେଦନ କରିଛନ୍ତି ଅଭିଭାବକମାନେ ।

Get real time updates directly on you device, subscribe now.