ହୋଟେଲରେ ଭୟଙ୍କର ବିସ୍ଫୋରଣ: ୨୨ ମୃତ, ୭୪ ଆହତ

ନୂଆଦିଲ୍ଲୀ: ଏକ ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୭୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଗ୍ୟାସ ଲିକ କାରଣରୁ ଏହି ଧମାକା ହୋଇଥିବା କୁହାଯାଉଛି । କ୍ୟୁବା ରାଜଧାନୀ ହବାନାର ଏକ ଲକଜୁରୀ ହୋଟେଲରେ ଏହି ଘଟଣା ଘଟିଛି । ତେବେ ହୋଟେଲରେ କୌଣସି ଗେଷ୍ଟ ନଥିବା ବେଳେ ସେଠାରେ ରେନୋଭେସନ କରାଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ଜଣାପଡ଼ିଛି ଯେ, ହବାନାର ଲଗଜୁରୀ ହୋଟେଲ ସାରାଟୋଗାରେ ମୋଟ ୯୬ଟି ରୁମର ରେନୋଭେସନ କରାଯାଉଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଏହି ସମୟରେ ଗ୍ୟାସ୍ ଲିକେଜ୍ କାରଣରୁ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ୨୨ ଜଣ ପ୍ରାଣ ହରାଇବା ସହ ୭୪ ଜଣ ଆହତ ହୋଇଥିଲେ ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ମିଗୁଏଲ ଡିଆଜ-କ୍ୟାନେଲ ଦୁଃଖ ପ୍ରକାଶ କରିଛନ୍ତି । ଏହା କୌଣସି ପ୍ରକାରର ଆଟାକ ନୁହେଁ, ବରଂ ବିସ୍ଫୋରଣ କାରଣରୁ ହୋଇଥିବା ମିଗୁଏଲ କହିଛନ୍ତି । ତେବେ ଏହି ବିସ୍ଫୋରଣ ପ୍ରଭାବରେ ଆଖପାଖର କିଛି ଘର ପ୍ରଭାବିତ ହୋଇଥିବା ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି । ତେବେ ହୋଟେଲରେ ଗ୍ୟାସ ସପ୍ଲାଏ କରୁଥିବା ଏକ ଟ୍ରକ କାରଣରୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ତେବେ ବ୍ଲାଷ୍ଟର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଥିବା ପୋଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛି ।