(Video) ଦୀପାବଳି ପୂର୍ବରୁ ଓଡ଼ିଶାର ଆକାଶରୁ ଶୁଭିଲା ଦୁଇଟି ପ୍ରଚଣ୍ଡ ଶବ୍ଦ: ଥରି ଉଠିଲା ଘରଦ୍ୱାର, ଶବ୍ଦ ଶୁଣି ଲୋକମାନେ ଭୟଭୀତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଲୋକର ପର୍ବ ଦୀପାବଳୀ ପୂର୍ବର ଆଜି ଲୋକମାନେ ଧନତେରାସ ଅବସରରେ ସୁନା, ରୁପା କିଣିବାରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଆଜି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପୁଣି ଥରେ ରାଜ୍ୟର ଆକାଶର ଶୁଣିବାକୁ ମିଳିଛି ଦୁଇଟି ପ୍ରଚଣ୍ଡ ଶବ୍ଦ । ଏହି ଶବ୍ଦ ଶୁଣିବା ପରେ ଲୋକମାନେ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି । ଏହା ପୂର୍ବରୁ ମଧ୍ୟ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ଏପରି ବଡ଼ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା ।
ସୂଚନା ମୁତାବକ, ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ବଡ଼ ଅଘଟଣ । ଅଚାନକ ଆକାଶରୁ ଶୁଣିବାକୁ ମିଳିଥିଲା ଏକ ପ୍ରଚଣ୍ଡ ଶବ୍ଦ । ସକାଳ ୧୦.୩୦ ସମୟରେ ଏହି ଶବ୍ଦରେ ଘରଦ୍ୱାର ଥରି ଉଠିଥିଲା । ଶବ୍ଦ ଶୁଣି ଲୋକମାନେ ଘର ବାହାରି ଆସିଥିଲେ । ମାତ୍ର ଶବ୍ଦ କେଉଁଠୁ ଆସିଲା ତାହା ଜଣାପଡ଼ିନଥିଲା । ତେବେ ପ୍ରତିରକ୍ଷା ବିଭାଗ ତରଫରୁ କୌଣସି ରକେଟ୍ ଲଞ୍ଚ କରାଯାଇପାରେ କିମ୍ବା କିଛି ପରୀକ୍ଷଣ ପାଇଁ ଆକାଶରୁ ଏଭଳି ଶବ୍ଦ ଶୁଣିବାକୁ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଆକାଶରୁ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣାଯିବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଗତ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକ ଭୟଙ୍କର ବଜ୍ରପାତ ଦେଖିବାକୁ ମିଳିଥିଲା । ଉକ୍ତ ବଜ୍ରପାତର ଶବ୍ଦ ଏତେ ଭୟଙ୍କର ହୋଇଥିଲା ଯେ ଲୋକମାନେ ଭୟରେ ଘରର କବାଟ ବନ୍ଦ କରିଦେଇଥିଲେ । ବଜ୍ରପାତର ଏହି ଭୟଙ୍କର ଶବ୍ଦରେ ଜିଲ୍ଲା ସଦର ମହକୁମା ବାରିପଦା, ବାଙ୍ଗିରିପୋଷି, ଖୁଣ୍ଟା, ଉଦଳା, ଡୁକୁରା, ବିଶୋଇ, ଶିମିଳିପାଳ, ବେତନଟୀ ଆଦି ଅଞ୍ଚଳରେ କାନକୁ ସତେ ଯେମିତି ଏକ ବଡ଼ ଝଟକା ଦେଇଥିଲା । ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି ମୟୂରଭଞ୍ଜ ଆକାଶରେ ଉକ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ଗତ ଅଗଷ୍ଟ ମାସରେ ବାଲେଶ୍ୱରର ନୀଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ଆଖାପାଖ ଅଞ୍ଚଳ ଥରିଯିବା ସହ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।