ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା । ଚାଷ ଜମିରେ ତିଆରି କରିଥିବା ପାଳ କୁଡ଼ିଆରେ ନିଆଁଲାଗି ଭାଇଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ବାପା ମାଆ ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡ଼ିଆରେ ଛୁଆଙ୍କୁ ଛାଡି ମା ଜଙ୍ଗଲକୁ ଯାଇଥିଲା ।
ତେବେ କିଛି ସମୟ ପରେ ଛୁଆଙ୍କ ଚିତ୍କାର ଶୁଣି ଫେରିବା ବେଳକୁ ସେଥିରେ ନିଆଁ ଲାଗିଯାଇଥିଲା । ଏହାସହିତ ଦୁଇ ନିଷ୍ପାପ ଛୁଆ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ମୃତ ପୁଅର ବୟସ 5 ବର୍ଷ ହୋଇଥିବା ବେଳେ ଝିଅର ବୟସ 4 ବର୍ଷ ବୋଲି ଜଣାପଡିଛି ।
ତେବେ ଆଖି ସାମ୍ନାରେ କୋଳଶୂନ୍ୟ ହୋଇଯାଇଥିବା ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି ବାପା ମାଆ । ତେବେ ଗ୍ରାମବାସୀ ଏକାଠି ହୋଇ ଦୁଇ ଛୁଆଙ୍କର ଶବଦାହ କରିଛନ୍ତି ।