fbpx

(Video) ଓଡ଼ିଶା: ସମୁଦ୍ର ବେଳାଭୂମିରେ ଲାଗିଲା ଦୁଇଟି ଅଜଣା କଣ୍ଟେନର, ଲୋକମାନେ ବୋହି ନେଇଗଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆସିଛି ଏକ ବଡ଼ ଖବର । ରାଜନଗର ବ୍ଲକର ସାତଭାୟା ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ନିକଟରେ ବଙ୍ଗୋପସାଗରରେ ବହୁ ସାମଗ୍ରୀ ବୋଝେଇ ହୋଇଥିବା ଦୁଇଟି ଅଜଣା କଣ୍ଟେନର ଦେଖିବାକୁ ମିଳିଥିଲା । ୩ ଶହ ମିଟର ବ୍ୟବଧାନରେ ଦୁଇଟି କଣ୍ଟେନର ଭାସି ଭାସି ଆସି କୂଳରେ ଲାଗିଥିଲେ । ଏହି କଣ୍ଟେନରକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେଉଁଠୁ ଓ କାହିଁକ ଏହି ଦୁଇ କଣ୍ଟେନର ଆସିଥିଲା ସେନେଇ କିଛି ବୁଝା ପଡ଼ି ନଥିଲା ।

କଣ୍ଟେନର ବେଳାଭୂମିରେ ପହଞ୍ଚିଥିବା ଖବର ପାଇ ଶହ ଶହ ଲୋକ ବାଉଁଶଗଡ଼ ନଦୀ ପାଳ ହୋଇ ସାତଭାୟା ସମୁଦ୍ର କୂଳରେ ପହଞ୍ଚିଥିଲେ । ତେବେ ବେଳାଭୂମିରେ ଲାଗିଥିବା ଦୁଇ କଣ୍ଟେନରରୁ ଲୋକମାନେ ଅନେକ ଖାଦ୍ୟ ସାମଗ୍ରୀ ଓ ଗୃହ ଉପକରଣକୁ ବୋହି ନେଇଥିଲେ । କଣ୍ଟେନରରେ କପ, ମ୍ୟୁଜିକ-ବକ୍ସ, ଗତରେଜ ଶାଢ଼ୀ, ଜୋତା, ସାର୍ଟପ୍ୟାଣ୍ଟ, ଛତା, କବାଟି ତିଆରି ସାମଗ୍ରୀ, ଗଛକଟା ସାମଗ୍ରୀ, ସୋରିଷ ତେଲ, ଏୟାର ବ୍ୟାଗ, ଶୁଖିଲା ସାମଗ୍ରୀ ଆଦି ରହିଥିଲା । ଯିଏ ଯାହାର ପାରିଲା ବୋହିବାରେ ଲାଗିଲା । ଅନେକ ଲୋକ ବାଇକରେ ବସ୍ତାରେ ଲଦି ସାମଗ୍ରୀକୁ ବୋହି ନେବାରେ ଲାଗିଥିଲେ ।

ତେବେ ସାତଭାୟା ଯିବା ପାଇଁ ହେଲେ ବନ ବିଭାଗର ଅନୁମତି ଜରୁରୀ । ମାତ୍ର ଲୋକମାନେ ନଦୀ ପାର ହୋଇ କିଭଳି ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ସାମଗ୍ରୀ ବୋହି ନେଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକମାନେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଆକଳନ କରାଯାଉଛି । ଏନେଇ ଡିଏଫଓଙ୍କୁ ପଚାରିବାରୁ ଲୋକମାନେ ସାମଗ୍ରୀ ବୋହିନେବା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.