fbpx

ନୂଆବର୍ଷରେ ବି କରୋନା: ରାଜ୍ୟରୁ ଚିହ୍ନଟ ହେଲେ ୨ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇଛି ଆଉ ନୂଆ ବର୍ଷ ୨୦୨୪ ଆଜିଠାରୁ ପାଦ ଥାପିଛି । ତେବେ ନୂଆ ବର୍ଷରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହା ମଧ୍ୟରେ ରାଜ୍ୟରୁ ପୁଣି ୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିଲା । ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୦ରେ ପହଞ୍ଚିଛି ।

ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୦ରେ ପହଞ୍ଚିଯାଇଥିବା ବେଳେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଚିଠି ଲେଖି କରୋନା ନିୟମାବଳୀ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।

ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଲାଗି ରହୁଛି ସେମାନେ ପୃଥକ୍ ଭାବେ ରହିବା ସହିତ ପରୀକ୍ଷା କରାଇବାକୁ କୁହାଯାଇଛି । ଏଥିସହିତ ବହୁବିଧ ରୋଗୀମାନେ ଭିଡ଼କୁ ନ ଯିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି । ଏହା ପୂର୍ବରୁ ଗତ ୨୯ ତାରିଖରେ ୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮ ତାରିଖରେ ୩ ଜଣ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବଢ଼ୁଥିବାରୁ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.