ପ୍ରକୃତିର ଲୀଳ ବୁଝିବା କଷ୍ଟକରା! ଏକସଙ୍ଗେ ଦୁଇଟି ସ୍ଥାନରେ ଦୁଇଟି ବାତ୍ୟା, ଗୋଟିଏ ବାତ୍ୟା ନେଲାଣି ଅନେକ ଜୀବନ, ଓଡ଼ିଶାରେ କ’ଣ ହେବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ସ୍ଥଳଭାଗରେ ମାଡ଼ ହେବାକୁ ଥିବା ବାତ୍ୟା ‘ଦାନା’କୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କା ଘେରରେ ରହିଛନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ । ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକ ଓ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ବ୍ୟବଧାନରେ କ୍ରମାଗତ ଭାବେ ବାତ୍ୟା ପରିଚାଳନାର ସମୀକ୍ଷା କରୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଧାମରା ସ୍ଥଳଭାଗ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବରୁ ଆକଳନ କରିଥିବା ବେଳେ ଏବେ ବାତ୍ୟା ତା’ର ଗତିପଥ ବଦଳାଯାଇଛି । ଚାନ୍ଦବାଲିରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । ଏହା ମଧ୍ୟରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି । ପାରାଦୀପ ରାଡାକୁ ବାତ୍ୟାର ଆଖି ଆସିଥିବା ଜଣାପଡ଼ିଛି । ଏବେ ଧାମରାଠାରୁ ୧୮୦ କିମି ଦୂରରେ ବାତ୍ୟା ରହିଥିବା ବେଳେ ବାତ୍ୟା ଯେତିକି ଯେତିକି ପାଖକୁ ଆସୁଛି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ଆକଳନ କରାଯାଇଛି ।

ତେବେ ଗୋଟିଏ ପଟେ ବାତ୍ୟା ‘ଦାନା’କୁ ନେଇ ଓଡ଼ିଶାବାସୀ ଆଶଙ୍କା ଘେରରେ ରହିଥିବା ବେଳେ ଏହା ମଧ୍ୟରେ ଅନ୍ୟ ଏକ ସ୍ଥାନରେ ଆଉ ଏକ ବାତ୍ୟା ତାଣ୍ଡବ ରଚିଲାଣି । ଫିଲିପାଇନ୍ସରେ ବାତ୍ୟା ‘ଟ୍ରାମୀ’ ଜନଜୀବନକୁ ବହୁଳ ଭାବେ ଅସ୍ତବ୍ୟସ୍ତ କରିବା ସହ ସେଥିରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ପାଣିପାଗ ଖରାପ ରହିଥିବା କାରଣରୁ ସେଠାରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନରେ ଘୋର ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ ସେଠାରେ ମୂଷଳଧାରାରେ ବର୍ଷା ହେବା ସହ ଭୂସ୍ଖଳନ ହେଉଥିବା ଜଣାପଡ଼ିଛି । ପୂର୍ବ-ଉତ୍ତର ପ୍ରାନ୍ତରେ ବାତ୍ୟା ‘ଟ୍ରାମୀ’ ବହୁତ କ୍ଷୟକ୍ଷତି କରିଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି ।

ତେବେ ଗୋଟିଏ ସମୟରେ ଧରିତ୍ରୀ ବକ୍ଷରେ ଦୁଇଟି ବାତ୍ୟାର ଆଗମନକୁ ନେଇ ଅନେକ ଚିନ୍ତାପ୍ରକଟ କରିଛନ୍ତି । ଫିଲିପାଇନ୍ସରେ ବାତ୍ୟା ‘ଟ୍ରାମୀ’ ଯେଉଁଭଳି ଭାବେ ତାଣ୍ଡବ ରଚିଲା ଓଡ଼ିଶାରେ ସେଭଳି ନହେଉ ବୋଲି ଅନେକ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ପ୍ରକୃତିର ତାଣ୍ଡବ ଆଗରେ ମଣିଷ କ’ଣ ବା କରିପାରିବ? ଯଦିଓ ବାତ୍ୟା ‘ଦାନା’ର ପ୍ରଭାବ ସେତେଟା ରହିବ ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି, ତେବେ ବାତ୍ୟା ବେଳକୁ ବେଳ ଯେଉଁଭଳି ଭାବେ ଉଗ୍ରରୂପ ଧାରଣ କରୁଛି ଓ ଦିଗ ବଦଳାଯାଉଛି ତାହାକୁ ଦେଖିଲେ ଦେହରେ ଶିହରଣ ସୃଷ୍ଟି ହେଉଛି । ଓଡ଼ିଶାରୁ ବାତ୍ୟା ବିଦାୟ ନେଉ ଏହା ସମସ୍ତେ କାମନା କରୁଛନ୍ତି । ଅତୀତରେ ଯେପରି ଅନେକ ବାତ୍ୟା ଓଡ଼ିଶା ମାଟି ଛୁଇଁ ଫେରିଯାଇଛନ୍ତି, ସେହିପରି ‘ଦାନା’ ମଧ୍ୟ ଫେରିଯାଉ ବୋଲି ଓଡ଼ିଶାବାସୀ ଈଶ୍ୱରଙ୍କ ଆଗରେ ନିବେଦନ କରିଛନ୍ତି ।