fbpx

ଆସନ୍ତା ୨୦୨୪ ସୁଦ୍ଧା ଓଡ଼ିଶା ହେବ ଡାକ୍ତର ବଳକା ରାଜ୍ୟ, କାର୍ଯ୍ୟକ୍ଷମ ହେବ ଆଉ ଦୁଇଟି ମେଡିକାଲ କଲେଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟରେ ଆଉ ଦୁଇଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଆସନ୍ତାବର୍ଷରୁ ଆଉ ଦୁଇଟି ମେଡିକାଲ କଳେଜରେ ୨ ଶହ ସିଟରେ ଛାତ୍ରଛାତ୍ରୀ ନାମ ଲେଖାଇବେ । ଆସନ୍ତାବର୍ଷ ଭବାନିପାଟଣା ଓ ଯାଜପୁର ମେଡିକାଲ କାର୍ଯ୍ୟକ୍ଷମ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଖୁବଶୀଘ୍ର କନ୍ଧମାଳ ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।

ଚଳିତ ବର୍ଷ ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ ମେଡିକାଲ କଲେଜରେ ଆଡମିସନ ଆରମ୍ଭ ହୋଇଛି । ତେବେ ଆସନ୍ତା ୨୦୨୪ ସୁଦ୍ଧା ଓଡ଼ିଶା ଡାକ୍ତରୀ ବଳକା ରାଜ୍ୟ ଭାବେ ଆଦୃତ ଲାଭ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏନେଇ ବିଭାଗୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମେଡିକାଲ ଶିକ୍ଷା ଏମବିବିଏସ ସିଟ୍ ସଂଖ୍ୟା ଦେଢ଼ଗୁଣ ବୃଦ୍ଧି ପାଇଛି ।

ବର୍ତ୍ତମାନ ଏସସିବି ଓ ଏମକେସିଜିରେ ୨୫ଟି ଲେଖାଏଁ ସରକାରୀ ଏମବିବିଏସ୍ ସିଟ୍ ରହିଥିବା ବେଳେ ବୁର୍ଲାରେ ୨୦୦ଟି, କୋରାପୁଟ, ବାରିପଦାରେ ୧୨୫ଟି ଲେଖାଏଁ ସିଟରେ ନାମଲେଖା ହେଉଛି । ସେହିପରି ପୁରୀ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର ଓ ବଲାଙ୍ଗିରରେ ୧୦୦ଟି ଲେଖାଏଁ ସିଟରେ ନାମଲେଖା ହେଉଛି । ଆସନ୍ତାବର୍ଷଠାରୁ ଯାଜପୁର ଓ ଭବାନିପାଟଣାରେ ୧୦୦ଟି ଲେଖାଏଁ ସିଟରେ ଆଡମିସନ କରାଯିବ । ଭବାନିପାଟଣା ମେଡିକାଲ କଳେଜରେ ଆଡମିଶନ ନେଇ ଜାତୀୟ ମେଡିକାଲ କମିସନ (ଏନଏମସି) ନିକଟରେ ଆପ୍ଲାଏ କରାଯିବ । ଚଳିତ ବର୍ଷ ୧୪୫୦ଟି ସରକାରୀ ସିଟରେ ଏମବିବିଏସ ନାମଲେଖା ହୋଇଥିବା ବେଳେ ଆସନ୍ତା ବର୍ଷ ଏହା ଆଉ ୨୦୦ ବୃଦ୍ଧି ପାଇବ । ଏପରି ଭାବେ ଆସନ୍ତା ୨୦୨୪ ସୁଦ୍ଧା ଡାକ୍ତର ବଳକା ରାଜ୍ୟ ଭାବେ ଓଡ଼ିଶା ବିବେଚିତ ହେବ ।

Get real time updates directly on you device, subscribe now.