fbpx

ଜାଡ଼ରେ ଥରୁଛି ଓଡ଼ିଶା : ଆହୁରି ଦୁଇ ଦିନ ଥରାଇବ

ଭୁବନେଶ୍ୱର : ଗତ ତିନି ଦିନ ହେବ ସାରା ରାଜ୍ୟରେ ହାଡ ଭଙ୍ଗା ଶୀତ ଲାଗି ରହିଛି । ଜାଡ଼ରେ ସାରା ଓଡ଼ିଶା ଥରୁଛି । ୨୧ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ପ୍ରବଳ ଶୀତ ପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ଅନୁଗୁଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେଣୁ ଏହି ୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ତଳେ ରହିଥିବାବେଳେ ଫୁଲବାଣୀରେ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦୁଇ ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡା ସବୁଠୁଁ ଥଣ୍ଡା ସହର ଭାବେ ବିବେଚିତ ହୋଇଛି । ପାଣିପାଗ ବିଭାଗ କହିଛି ଯେ, ଏପରି ଥଣ୍ଡା ଆହୁରି ୨ଦିନ ଲାଗି ରହିବ । ଏପରିକି ରାତିର ତାପମାତ୍ରାରେ ୩ରୁ ୫ଡ୍ରିଗୀ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ମୟୂରଭଞ୍ଜର ଶିମିଳିପାଳ, କୋରାପୁଟର ସେମିଳିଗୁଡା ଏବଂ କନ୍ଧମାଳର ଦାରିଙ୍ଗବାଡିର ତୁଷାରପାତ ହେଉଥିବା ସୂଚନା ମିଳିଛି । ଗାଡିଠାରୁ ଆରମ୍ଭ କରି ଘାସ ପର୍ଯ୍ୟନ୍ତ ସବୁଠି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଥିବାରୁ ରାତିରେ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଜରୁରି ନଥିଲେ ସକାଳୁ ଘରୁ ନବାହାରିବା ସହିତ ଶୀତ ବସ୍ତ୍ର ପରିଧାନ ପାଇଁ ପରାମର୍ଶ ଦିଆଯାଇଛି । ଶୀତ ପାଇଁ ଜନଜୀବନ ଏକ ରକମ ଅସ୍ତବ୍ୟସ୍ତ ହୋଇପଡିଛି । ରାତି ୮ଟା ପରେ ଦୋକାନ ବଜାର ବନ୍ଦ ସହ ରାସ୍ତାଘାଟ ଶୂନଶାନ୍ ହୋଇପଡୁଛି । ତେବେ ଆସନ୍ତା ୧୨ତାରିଖ ପରେ ରାତିର ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.