ଦୁଇ ଜଣ ସାଂସଦଙ୍କ ଘରେ ପଶି ଗୁଳି କଲେ ଦୁର୍ବୃତ୍ତ, ଜଣଙ୍କର ମୃତ୍ୟୁ
ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ଜଣେ ସାଂସଦଙ୍କର ମୃତ୍ୟୁ।
ଆମେରିକା: ଭୟଙ୍କର କାଣ୍ଡ। ସାଂସଦଙ୍କ ଘରେ ପଶିଲେ ଆଉ ଗୁଳି କଲେ। ଜଣେ ନୁହେଁ ବରଂ ଏକାଥରେ ଦୁଇ ଜଣ ସାଂସଦଙ୍କ ଘରେ ପଶି ଦୁର୍ବୃତ୍ତମାନେ ସାଂସଦଙ୍କୁ ଗୁଳି କରିଛନ୍ତି। ଯେଉଁଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।
ଏହି ଗୁଳିକାଣ୍ଡକୁ ରାଜ୍ୟପାଳ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକାର ମିନେସୋଟାରେ ଜଣେ ମେୟର କହିଛନ୍ତି ଯେ ଶନିବାର ସକାଳେ ସେନେଟର ଏବଂ ରାଜ୍ୟ ପ୍ରତିନିଧିଙ୍କୁ ସେମାନଙ୍କ ଘରେ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା।
ଚାମ୍ପଲିନ୍ ମେୟର ରିଆନ୍ ସାବାସ କହିଛନ୍ତି ଯେ ରାଜ୍ୟ ସେନେଟର ଜନ୍ ହଫମ୍ୟାନ୍ ଏବଂ ରାଜ୍ୟ ପ୍ରତିନିଧି ମେଲିସା ହର୍ଟମ୍ୟାନଙ୍କୁ ଗୁଳି କରାଯାଇଛି। ହଫମ୍ୟାନଙ୍କ ପତ୍ନୀଙ୍କୁ ମଧ୍ୟ ଏଥିରେ ଗୁଳି କରାଯାଇଛି।
ଏହା ବ୍ୟତୀତ ମିନେସୋଟାର ରାଜ୍ୟପାଳ ଟିମ୍ ୱାଲ୍ଜ କହିଛନ୍ତି ଯେ ପୂର୍ବତନ ହାଉସ୍ ବାଚସ୍ପତି ମେଲିସା ହର୍ଟମ୍ୟାନ୍ ଏବଂ ତାଙ୍କ ସ୍ୱାମୀଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଗୁଳିକାଣ୍ଡରେ ହତ୍ୟା କରାଯାଇଛି।
ତଦନ୍ତ ଜାରି ରହିଛି: ଏହି ଘଟଣା ସହିତ ପରିଚିତ ଜଣେ ବ୍ୟକ୍ତି ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜଣେ ଆଇନ ପ୍ରବର୍ତ୍ତନ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇଥିଲେ।
ଏବେବି ତଦନ୍ତକାରୀ ଟିମ୍ ଅଧିକ ତଦନ୍ତ ଜାରି ରଖିଛି। ହେଲେ ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି। ରାଜ୍ୟପାଳ ଟିମ୍ ୱାଲ୍ଜ କହିଛନ୍ତି ଯେ ଏହି ଗୁଳିକାଣ୍ଡ ଯୋଜନାବଦ୍ଧ ଭାବରେ କରାଯାଇଛି।
ଅଧିକାରୀମାନେ ସତର୍କ ଅଛନ୍ତି: ଏହି ଘଟଣା ପରେ, ଆମେରିକାର ମିନେସୋଟାରେ ଜରୁରୀକାଳୀନ ପ୍ରକ୍ରିୟା ସକ୍ରିୟ କରାଯାଇଛି। ଏହା ବ୍ୟତୀତ, ସମସ୍ତ ଅଧିକାରୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି।
ମିନେସୋଟା ରାଜ୍ୟପାଳ ଟିମ୍ ୱାଲ୍ଜ ଟ୍ୱିଟରରେ କହିଛନ୍ତି, “ଆଜି ସକାଳେ ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ପାର୍କରେ ଟାର୍ଗେଟେଡ୍ ଗୁଳିକାଣ୍ଡ ସହିତ ଜଡିତ ପରିସ୍ଥିତି ବିଷୟରେ ସୂଚନା ଦିଆଯାଇଛି।”
ଟ୍ୱିଟର ପୋଷ୍ଟରେ ୱାଲ୍ଜ କହିଛନ୍ତି, “ମୁଁ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରକୁ ସକ୍ରିୟ କରିଛି। ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ପାର୍କରେ ସ୍ଥାନୀୟ ଆଇନ ପ୍ରବର୍ତ୍ତନକାରୀଙ୍କ ପାଖରେ ମିନେସୋଟା ରାଜ୍ୟର ସମସ୍ତ ସମ୍ବଳ ଅଛି। ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ଏବଂ ଶୀଘ୍ର ଅଧିକ ସୂଚନା ସେୟାର କରିବୁ।”