IPLରେ ସାମିଲ ହେବେ ଦୁଇଟି ନୂଆ ଦଳ, ୧୦ ଟିମଙ୍କ ମଧ୍ୟରେ ହେବ ଟକ୍କର

ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣରେ ୮ଟି ଟିମ ନୁହେଁ, ୧୦ଟି ଟିମ ଭାଗନେବେ । ଏଥିପାଇଁ ନୂଆ ଟିମର ଘୋଷଣା ଆସନ୍ତା ୨୫ ତାରିଖରେ ହେବ । ଦୁଇ ନୂଆ ଟିମ ଆଇପିଏଲରେ ଯୋଡ଼ିହେବା ପରେ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବା ସହ ଟୁର୍ଣ୍ଣାମେଣ୍ଟର ଅବଧି ବୃଦ୍ଧି ପାଇବ । ତେବେ ଏହି ଦୁଇ ନୂଆ ଟିମଙ୍କ ରେସରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ସର୍ବାଗ୍ରେ ରହିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ୧୦ଟି ଟିମ୍ ଆଇପିଏଲରେ ଖେଳିବା ନୂଆ କଥା ନୁହେଁ । ଏହା ପୂର୍ବରୁ ୨୦୧୧ରେ ୧୦ଟି ଟିମ୍ ଆଇପିଲରେ ଭାଗ ନେଇଥିଲେ । ପୁଣେ ୱାରିୟର୍ସ ଓ କୋଚି ଟସ୍କର୍ସ କେରଳ ନିଜର ଆଇପିଏଲ ଡେବ୍ୟୁ କରିଥିଲେ । ଏହାପରେ ୨୦୧୨ ସିଜନ ଆରମ୍ଭରୁ କୋଚି ଟସ୍କର୍ସକୁ ହଟାଇ ଦିଆଯାଇଥିଲା । ପରେ ୨୦୧୨ ଓ ୨୦୧୩ ସିଜରେ ୯ଟି ଟିମ୍ ଭାଗ ନେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ପରଠାରୁ ଆଇପିଏଲରେ ୮ଟି ଅଂଶଗ୍ରହଣ କରିଆସୁଛନ୍ତି । ତେବେ ୨୦୧୧ରେ ହୋଇଥିବା ଆଇପିଏଲରେ ମୋଟ ୭୪ଟି ମ୍ୟାଚ ଖେଳାଯିବା ସହ ପ୍ରତ୍ୟେକ ଟିମ ୧୪-୧୪ଟି ଲେଖାଏଁ ମ୍ୟାଚ୍ ଖେଳିଥିଲେ । ଆସନ୍ତା ୨୦୨୨ରେ ମଧ୍ୟ ଅନୁରୂପ ସଂଖ୍ୟାରେ ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି ।