fbpx

ବିଶ୍ୱର ୫୧ ତମ ବିଚିତ୍ର କେସ୍ , ବ୍ରଶ କରୁ କରୁ ଗିଳିଦେଲେ ୧୨ ସେଣ୍ଟିମିଟର ଲମ୍ବର ଟୁଥବ୍ରଶ, ବିନା ଅସ୍ତ୍ରୋପଚାରରେ ପାଟିପଟେ କାଢିଲେ ଡାକ୍ତର

Advertisement

ଉଦୟପୁର: ଆପଣ ଜାଣିଥିବେ କି ଛୋଟ ପିଲାମାନେ ବହୁ ସମୟରେ କଏନ୍, ହାତ ମୁଦି ସହିତ ଛୋଟ ଛୋଟ ଜିନିଷ ଗିଳି ପକାଇଥାନ୍ତି । କିଛି ଜିନିଷ ଗଳାରେ ଅଟକିଯାଏ ତ ଆଉ କିଛି ଜିନିଷ ପେଟ ପର୍ଯ୍ୟନ୍ତ ପହଞ୍ଚିଯାଏ । କିନ୍ତୁ ଉଦୟପୁରରେ ଏପରି ଏକ କେସ୍ ସାମ୍ନାକୁ ଆସିଛି ଯେଉଁଠି ଜଣେ ବ୍ୟକ୍ତି ବ୍ରସ କରୁଥିବା ସମୟରେ ବ୍ରସକୁ ଗିଳି ପକାଇଥିଲେ ଯାହା ଯାଇ ତାଙ୍କ ପେଟରେ ପହଞ୍ଚି ଯାଇଥିଲା । ମୁଦ୍ରା କିମ୍ବା ମୁଦି ତ ମଳଦ୍ୱାର ବାଟେ ବାହାର କରି ଦିଆଯାଏ କିନ୍ତୁ ଏତେ ବଡ ଟୁଥବ୍ରସ ବାହାରିବ କିପରି ? ଏହା ଦୁନିଆର ୫୧ ତମ ବିଚିତ୍ର କେସ୍ ଯେଉଁଠି ଉଦୟପୁର ଜିବିଏସ୍ ଆମେରିକା ହସ୍ପିଟାଲ୍ ଡାକ୍ତର ବିନା ଅସ୍ତ୍ରୋପଚାରରେ ବ୍ୟକ୍ତିଙ୍କ ପେଟରୁ ବ୍ରସ ବାହାର କରିପାରିଛନ୍ତି ।

ଘଟଣାଟି ହେଉଛି ଚିତ୍ତୋରଗଡ ନିବାସୀ ଗୋପାଳ ସିଂହ ରାଓ (୫୩) ସକାଳେ ବ୍ରଶ କରୁଥିବା ସମୟରେ ଅଚାନକ ବାନ୍ତି ଆସିବାରୁ ସେହି ସମୟରେ ବ୍ରଶଟି ତାଙ୍କ ତଣ୍ଟି ମଧ୍ୟକୁ ଚାଲିଯାଇଥିଲା । ସେ କିଛି ବୁଝିବା ବେଳକୁ ବ୍ରଶ ତାଙ୍କ ପେଟ ଭିତରକୁ ଚାଲି ଯାଇଥିଲା । ଏହାପରେ ଘର ଲୋକେ ସବୁ ପ୍ରକାର ପ୍ରୟାସ କରି ବିଫଳ ହେବା ପରେ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲ୍ ନେଇଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ପେଟରୁ ଟୁଥବ୍ରଶ ବାହାର କରିବା ସମ୍ଭବ ହୋଇ ନ ଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଜିବିଏଚ୍ ଆମେରିକାନ୍ ହସ୍ପିଟାଲ୍ ନେଇ ଯାଇଥିଲେ । ସେଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଯେଉଁଥିରେ ଟୁଥବ୍ରଶ ପେଟର ଉପର ଭାଗରେ ଅଟକି ରହିଥିବାର ଦେଖିବାକୁ ମିଳିଲା । ଏହାପରେ ତାଙ୍କୁ ଅପରେସନ କରି ବ୍ରଶ ବାହାର କରାଯିବାକୁ ନିଷ୍ପତ୍ତି ନିଆଗଲା ।

ବଡ କଥା ହେଉଛି ତାଙ୍କ ପେଟକୁ ଚିରା ନ ଯାଇ ଏହି ଅପରେସନ କରାଗଲା । ଅର୍ଥାତ୍ ହସ୍ପିଟାଲର ବେରିଆଟ୍ରିକ୍ ଆଣ୍ଡ ଲାପ୍ରୋସ୍କୋପିକ୍ ସର୍ଜନ ଡା. ଶଶାଙ୍କ ଜେ. ତ୍ରିବେଦୀ ଏଣ୍ଡୋସ୍କୋପିକ୍ ପ୍ରୋସିଡ୍ୟୁଅରରେ ୧୨ ସେଣ୍ଟିମିଟରର ଟୁଥବ୍ରଶ ପାଟି ବାଟେ ବାହାର କରିଥିଲେ । ଡା. ତ୍ରିବେଦୀ କହିଛନ୍ତି ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ ମାତ୍ର ୫୦ଟି ଟୁଥବ୍ରଶ ଗିଳି ଦେବା ଭଳି ମାମଲା ସାମ୍ନାକୁ ଆସିଛି । ତେବେ ରାଜସ୍ଥାନରେ ଏହା ହେଉଛି ପ୍ରଥମ ମାମଲା ଯେଉଁଠି ବିନା ଅସ୍ତ୍ରୋପଚାରରେ ଟୁଥବ୍ରଶ ବାହାର କରାଯାଇ ପାରିଛି ।

Get real time updates directly on you device, subscribe now.