fbpx

UGC ନେଟ୍ ପରୀକ୍ଷା କିଏ କରନ୍ତି ଆୟୋଜନ ? ଏହାକୁ ପାସ୍ କଲେ କେଉଁ ଚାକିରି କରିବେ ଜାଣନ୍ତୁ

ଓଡ଼ିଶା ଭାସ୍କର: ବିବାଦ ପରେ ୟୁଜିସି ନେଟ୍ ହଠାତ ଏବେ ଲାଇମ୍‌ଲାଇଟରେ । ଯେଉଁମାନେ ଏହି ପରୀକ୍ଷାରେ ସିଧାସଳଖ ଜଡ଼ିତ ନୁହନ୍ତି, ସେମାନେ ବି ଏବେ ଜାଣିବାକୁ ଚାହାନ୍ତି ଏହି ପରୀକ୍ଷା କ’ଣ, କେମିତି ହୁଏ, ଏହାର ପରିଚାଳନା କିଏ କରିଥାଏ ଇତ୍ୟାଦି । ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ବର୍ତ୍ତମାନ ଉଙ୍କି ମାରୁଛି ୟୁଜିସି ପରୀକ୍ଷାକୁ ନେଇ । ଏହି କ୍ରମରେ ଆସନ୍ତୁ ଜାଣିବା ୟୁଜିସି ନେଟ ବାବଦରେ…..

ୟୁଜିସି ନେଟ ପରୀକ୍ଷାର ପୂରା ନାଁ ହେଉଛି ୟୁନିଭର୍ସିଟି ଗ୍ରାଣ୍ଟ୍ରସ କମିଶନ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ, ଅର୍ଥାତ ୟୁଜିସି ନେଟ (UGC NET) । ଏହି ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ଆୟୋଜିତ କରିଥାଏ । ବର୍ଷକୁ ଦୁଇଥର ଜୁନ୍ ଓ ଡିସେମ୍ବର ମାସରେ ନେଟ୍ ପରୀକ୍ଷା ଆୟୋଜିତ ହୋଇଥାଏ । ୧୯୮୯-୧୯୯୦ ମସିହାରୁ ଏହି ପରୀକ୍ଷା ଆୟୋଜିତ ହୋଇ ଆସୁଛି । ମୁଖ୍ୟତଃ ଏକାଡେମିକ୍ କ୍ଷେତ୍ରକୁ ନିଜ ଭବିଷ୍ୟ ଗଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ । ୟୁଜିସି ନେଟ୍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲା ପରେ ସେମାନେ ଗବେଷଣା ବା ରିସର୍ଚ୍ଚ କରିଥାନ୍ତି କିମ୍ବା ପରେ ପ୍ରଫେସର, ଆସିଷ୍ଟେଣ୍ଡ ପ୍ରଫେସର ବା ଆସୋସିଏଟ ପ୍ରଫେସର ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥାନ୍ତି । ଏହି ପରୀକ୍ଷା ପାସ କରିବା ପରେ ଦେଶର ବିଭିନ୍ନ କଲେଜରେ ଶିକ୍ଷକତା କରିବାର ଦ୍ୱାର ଖୋଲିଯାଏ । ତେବେ ଜଣେ ୟୁଜିସି ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପିଏଚଡି କରିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡି ନଥାଏ । ତେବେ ଯେଉଁ ପ୍ରାର୍ଥୀମାନେ ୫୫% ମାର୍କ ସହିତ ମାଷ୍ଟର ଡିଗ୍ରୀ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ UGC ନେଟ୍ ପରୀକ୍ଷା ଦେବା ପାଇଁ ଯୋଗ୍ୟ ଅଟନ୍ତି । ଜେଆରଏଫ୍ ପାଇଁ ଆୟୁ ସୀମା ୩୧ ବର୍ଷ ରହିଥିବା ବେଳେ ପ୍ରୋଫେସର ପଦ ପାଇଁ ସେମିତି କିଛି ଆୟୁ ସୀମା ନିର୍ଦ୍ଧାରିତ କରାଯାଇ ନାହିଁ ।

ଏହି ପରୀକ୍ଷା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ବିଷୟରେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଆୟୋଜିତ ହୋଇଥାଏ । ଏଥିରେ ମଲଟିପଲ ଚଏସ୍ ପ୍ରଶ୍ନ ଥାଏ । ଜାତୀୟ ସ୍ତରରେ ଆୟୋଜିତ ଏହି ପରୀକ୍ଷାରେ ପ୍ରଥମ ପେପର କମନ୍ ରହିଥିବା ବେଳେ ଦ୍ୱିତୀୟ ପେପର ଚୟନ କରିଥିବା ବିଷୟ ଅନୁଯାୟୀ ଥାଏ । ପରୀକ୍ଷାର ଅବଧି ମୋଟ୍ ୩ ଘଣ୍ଟାର ଥାଏ । ପରୀକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ugcnet.nta.nic.inକୁ ଯାଇପାରିବେ ।

Get real time updates directly on you device, subscribe now.