fbpx

ଭାରତରେ ଖୋଲିବ Oxford, Cambridge ପରି ବିଶ୍ୱର ଟପ୍ ୟୁନିଭରସିଟିର କ୍ୟାମ୍ପସ: ଛାତ୍ରଛାତ୍ରୀଙ୍କୁ କ’ଣ ଫାଇଦା ମିଳିବ, ୬୭ଟି ଦେଶଙ୍କୁ UGCର ଚିଠି

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତର ଶିକ୍ଷାକ୍ଷେତ୍ର ବିଶ୍ୱରେ ଚମକିବ । ବିଶ୍ୱର ଟପ୍ ୟୁନିଭରସିଟିମାନେ ସେମାନଙ୍କର କ୍ୟାମ୍ପସ ଭାରତରେ ଖୋଲିବେ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ବିଲ୍ ପାସ ହେବା ପରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୟୁଜିସି ବିଦେଶୀ ବିଶ୍ୱବିଦ୍ୟାଳୟ ବିଲକୁ ମଞ୍ଜୁରୀ ମିଳିବା ପରେ ବିଶ୍ୱର ଟପ୍ ଶିକ୍ଷାନୁଷ୍ଠାନଗୁଡ଼ିକ ଭାରତରେ ୧୦ ବର୍ଷ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲି ପାରିବେ । ତେବେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ କେବଳ ଅଫଲାଇନରେ କୋର୍ସ ପ୍ରଦାନ ନେଇ ଅନୁମତି ମିଳିଛି ।

ତେବେ ଭାରତ ସରକାରଙ୍କ ଏହି ବଡ଼ ପଦକ୍ଷେପ ପରେ ଦେଶର ଛାତ୍ରଛାତ୍ରୀଙ୍କୁ ଅନେକ ଫାଇଦା ମିଳିବ । ଏହି ନିୟମ ଅନୁସାରେ ଏଣିକି ଆମେରିକା, ବ୍ରିଟେନ, ଚୀନ, ୟୁରୋପର ଟପ୍ ୟୁନିଭରସିଟିର କ୍ୟାମ୍ପସ ଭାରତରେ ଖୋଲିବ । ଫଳରେ ଆଗାମୀ ଦିନରେ ଭାରତକୁ କ୍ରେମ୍ବ୍ରିଜ, ହାଭାର୍ଡ, ୟେଲେ, ଅକ୍ସଫୋର୍ଡ, ଷ୍ଟାନଫୋର୍ଡ ପରି ବିଶ୍ୱର ଟପ୍ ବିଶ୍ୱବଦ୍ୟାଳୟ ଆସିବେ । ଏନେଇ ୟୁଜିସି ଅଧ୍ୟକ୍ଷ ଏମ.ଜଗଦୀଶ କୁମାର ଦିଲ୍ଲୀ ସ୍ଥିତ ୬୭ଟି ଦେଶର ରାଜଦୂତ ଏବଂ ଉକ୍ତ ଦେଶର ଶୀର୍ଷ ବିଶ୍ୱବିଦ୍ୟାଳୟକୁ ପତ୍ର ଲେଖିବେ ।

ୟୁଜିସି ମୁତାବକ, ଯଦି ସବୁକିଛି ଠିକଠାକ ରୁହେ, ତେବେ ଆସନ୍ତା ୨-୩ ବର୍ଷ ମଧ୍ୟରେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତ ଆସିବାର ସମ୍ଭାବନା ରହିଛି । ୟୁଜିସିର ଏହି ପ୍ରସ୍ତାବରେ ବିଶ୍ୱର କିଛି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୧-୨ ମାସ ମଧ୍ୟରେ ବିଭିନ୍ନ ଦେଶର ଶୀର୍ଷ ବିଶ୍ୱବିଦ୍ୟାଳୟ ସହିତ ସମ୍ପର୍କ କରାଯିବ । ଏହି ଅବସରରେ ସେମାନଙ୍କୁ ପ୍ରବେଶ ପ୍ରକ୍ରିୟା, ଶୁଳ୍କ ଢାଞ୍ଚା, ଶିଷକ ଭର୍ତ୍ତି, କାର୍ଯ୍ୟକ୍ରମର ବିକଳ୍ପ ଆଦି ବିଷୟରେ କ’ଣ ସବୁ ଛାଡ଼ କରାଯିବ ତାହା ସୂଚିତ କରାଯିବ । ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ହେଲେ ସେମାନଙ୍କୁ ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ ୧୯୯୯ ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିୟମକୁ ପାଳନ କରିବାକୁ ପଡ଼ିବ ।

୧- ବିଦେଶୀ ଟପ୍ ୟୁନିଭରସିଟର କ୍ୟାମ୍ପସ ଭାରତରେ ଖୋଲିବା ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ସୁଧୁରିଯିବ । ଫିସ୍ ଷ୍ଟ୍ରକଚର ନିର୍ଦ୍ଧାରିତ କରିବାର ଛାଡ଼ ବ୍ୟବସ୍ଥା ୟୁନିଭରସିଟି ନିକଟରେ ରହିବ । ମାତ୍ର ଛାତ୍ରଛାତ୍ରୀମାନେ ଆମେରିକା, ବ୍ରିଟେନ ତୁଳନାରେ ଭାରତରେ କମ୍ ପଇସାରେ କୋର୍ସ ସମାପ୍ତ କରିବାର ସମ୍ଭାବନା ରହିଛି ।

୨- ଭାରତରେ ଅନେକ ମେଧାବୀ ଛାତ୍ରଛାତ୍ରୀ ରହିଥିଲେ ହେଁ ସେମାନେ ଅର୍ଥାଭାବରୁ ବିଦେଶ ଯାଇ ପାଠ ପଢ଼ି ପାରୁନଥିଲେ । ମାତ୍ର ଏହି ଟପ୍ ସଂସ୍ଥାମାନେ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲିବା ଫଳରେ ଛାତ୍ରଛାତ୍ରୀଙ୍କ ସମୟ ବଞ୍ଚିବ । ଏଥିସହିତ ସେମାନଙ୍କର ଟ୍ୟାଲେଣ୍ଟ ବିକଶିତ ହେବା ସହ ବହୁ ଅର୍ଥ ଅପଚୟରୁ ମୁକ୍ତି ମିଳିବ ।

୩- ଭାରତରେ କ୍ୟାମ୍ପସ ଖୋଲିବା ଫଳରେ ଅନେକ ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ନିଯୁକ୍ତିର ଆବଶ୍ୟକତା ପଡ଼ିବ । ଏହା ଦେଶର ବେକାରୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ।

୪- ଭାରତକୁ ବିଦେଶରୁ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିବେ । ଏହାଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥା ବିକଶିତ ହେବା ସହିତ ସରକାରଙ୍କୁ ରାଜସ୍ୱ ମିଳିବ ।

୫- ଭାରତରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବା ସହିତ ରିସର୍ଚ୍ଚ କାର୍ଯ୍ୟ ଓ ଦେଶ-ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ବୃଦ୍ଧି ପାଇବ । ଏହାଦ୍ୱାରା ଶିକ୍ଷା ରାଙ୍କିଂରେ ଭାରତର ସ୍ଥାନ ବଢ଼ିବ ।

୬- ବିଶ୍ୱର ଟପ୍ ୟୁନିଭରସିଟି ଭାରତରେ ରହିବା ଫଳରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବ । ଭାରତର ଟପ ୟୁନିଭରସିଟିମାନେ ମଧ୍ୟ ଉତ୍ତର ପ୍ରଦର୍ଶନ ପାଇଁ ପ୍ରେରିତ ହୋଇପାରିବେ ।

Get real time updates directly on you device, subscribe now.