fbpx

UGC-NET ଜୁନ୍ ୨୦୨୪ ପରୀକ୍ଷା ରଦ୍ଦ ହେଲା: NTA ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରେ ହୋଇଥିବା ୟୁଜିସି-ନେଟ ୨୦୨୪ ପରୀକ୍ଷା ରଦ୍ଦ ହୋଇଛି । ନ୍ୟାସନ୍ୟାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଗତ ୧୮ ତାରିଖରେ ଦେଶର ବିଭିନ୍ନ ସହରରେ ୟୁଜିସି-ନେଟ୍ ଆୟୋଜିତ ହୋଇଥିଲା । ଦୁଇଟି ଶିଫ୍ଟରେ ଓଏମଆର (ପେନ ଓ ପେପର) ମୋଡ଼ରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା । ଆଜି ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (୧୪ସି)ର ଜାତୀୟ ସାଇବର ଅପରାଧ କମିଟି ପରୀକ୍ଷା ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ସୂଚନା ଦେଇଥିଲା । ତେବେ ପରୀକ୍ଷାରେ କିଛି ଗଡ଼ବଡ଼ୀ ହୋଇଥିବା ନେଇ ସେଥିରୁ କିଛି ସଙ୍କେତ ମିଳିଥିଲା ।

ପରୀକ୍ଷା ପ୍ରକ୍ରିୟାର ପାରଦର୍ଶିତାକୁ ସୁନିଶ୍ଚିତ କରିବା ପାଇଁ ୟୁଜିସି-ନେଟ ଜୁନ ୨୦୨୪ ପରୀକ୍ଷାକୁ ରଦ୍ଦ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏବେ ଅନ୍ୟ ଏକ ନୂଆ ତାରିଖରେ ପରୀକ୍ଷା କରାଯିବ । ସେନେଇ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା ଜାରି କରାଯିବ । ଏଥିସହିତ ଏହି ମାମଲାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ୮୩ଟି ବିଷୟରେ ୟୁଜିସି-ନେଟ୍ ପରୀକ୍ଷା ଆୟୋଜିତ ହୋଇଥିଲା । ପ୍ରଥମ ଶିଫ୍ଟରେ ୪୨ଟି ବିଷୟରେ ଓ ଦ୍ୱିତୀୟ ଶିଫ୍ଟରେ ୪୧ଟି ବିଷୟର ପରୀକ୍ଷା ଛାତ୍ରଛାତ୍ରୀମାନେ ଦେଇଥିଲେ । ପ୍ରଥମ ଶିଫ୍ଟ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଓ ଦ୍ୱିତୀୟ ଶିଫ୍ଟ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ବର୍ଷର ଜୁନ୍ ଓ ଡିସେମ୍ବର ମାସରେ ଦୁଇଥର ୟୁଜିସି-ନେଟ୍ ପରୀକ୍ଷା ଆୟୋଜିତ ହୋଇଥାଏ ।

Get real time updates directly on you device, subscribe now.