fbpx

UGC ପକ୍ଷରୁ ଆସିଲା ନୂଆ ଗାଇଡଲାଇନ୍ସ: ଏଣିକି ଛାତ୍ରଛାତ୍ରୀମାନେ ଏକ ବର୍ଷିଆ ପିଜି କୋର୍ସ କରିପାରିବେ, ପ୍ରସ୍ତୁତ ହେଲା ଫ୍ରେମୱାର୍କ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରୁଛନ୍ତି । ସେଥିପାଇଁ ନୂଆ ଶିକ୍ଷା ନୀତି (ଏନଇପି ୨୦୨୦) ଅନୁସାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି ।

ୟୁଜିସି ମୁତାବକ, ଏଣିକି ଚାରି ବର୍ଷିଆ ୟୁଜି ଡିଗ୍ରୀ ନେଇଥିବା ଛାତ୍ରଛାତ୍ରୀମାନେ ଏକ ବର୍ଷିଆ ପିଜି କୋର୍ସ କରିପାରିବେ । ସେଥିପାଇଁ ଛାତ୍ରଛାତ୍ରୀଙ୍କୁ କୋର୍ସ ମୋଡ଼ ଓ ବିଷୟ ବାଛିବାର ବିକଳ୍ପ ମିଳିବ । ପୋଷ୍ଟ ଗ୍ରାଜୁଏସନ କୋର୍ସ ପାଇଁ ୟୁଜିସି ପକ୍ଷରୁ ଏକ ନୂଆ ସିଲାବସ୍ ଲଞ୍ଚ କରାଯିବ । ଏହି କୋର୍ସ ପାଇଁ ୟୁଜିସି ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ମାସରେ ଏହାକୁ ଆରମ୍ଭ ପାଇଁ ୟୁଜିସି ଅନୁମୋଦନ ପ୍ରଦାନ କରିଛି । ଏଥିସହିତ ଏହି ପ୍ରସଙ୍ଗରେ ବିଭିନ୍ନ ହିତାକାଂକ୍ଷୀଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ ନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଯଦି କୌଣସି ଛାତ୍ରଛାତ୍ରୀ ଏକ ବର୍ଷ ପାଠପଢ଼ା ସମାପ୍ତ କରିବା ପରେ ପାଠପଢ଼ା ଛାଡ଼ିବାକୁ ଚାହିଁବେ ତେବେ ଏନଇପି-୨୦୨୦ରେ ଏନେଇ ପିଜି ଡିପ୍ଲୋମାର ବିକଳ୍ପ ରହିଛି । ମାତ୍ର ଏବେ ୪ ବର୍ଷିଆ ଡିଗ୍ରୀ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ପିଜି କୋର୍ସ ଏକ ବର୍ଷର ହେବ । ଏଥିସହିତ ତିନି ବର୍ଷିଆ ଡିଗ୍ରୀ କୋର୍ସ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି କୋର୍ସ ଜାରି ରହିବ । ଗ୍ରାଜୁଏସନ କୋର୍ସ ପାଇଁ ଅଧ୍ୟୟନ କରିଥିବା କୌଣସି ବିଷୟକୁ ଛାତ୍ରଛାତ୍ରୀ ପିଜିର ବିକଳ୍ପ ଭାବେ ବାଛି ପାରିବେ । ଯେଉଁମାନେ ମେଜର ଓ ମାଇନର ସହିତ ୟୁଜି କୋର୍ସ ପାସ କରିଥିବେ, ସେମାନେ ମାଷ୍ଟର୍ସ ପ୍ରୋଗ୍ରାମରେ ମେଜର ବା ମାଇନର ବିଷୟ ବାଛି ପାରିବେ । ଶିକ୍ଷାର୍ଥୀଙ୍କୁ ନିଜ ନିଜ ପସନ୍ଦର ବିଷୟ ବାଛିବାର ସୁଯୋଗ ମିଳିବ ବୋଲି ଗାଇଡଲାଇନ୍ସରେ କୁହାଯାଇଛି ।

Get real time updates directly on you device, subscribe now.