fbpx

ଜାତୀୟ ଫସଲ ବୀମା ପୋର୍ଟାଲ (ଏନସିଆଇପି) ଜରିଆରେ ଦାବି ବିତରଣ ପାଇଁ ଡିଜିକ୍ଲେମର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନୂଆଦିଲ୍ଲୀର କୃଷି ଭବନ ଠାରେ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧୀନରେ ଡିଜିକ୍ଲେମ ନାମକ ଏକ ଡିଜିଟାଲ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ଜାତୀୟ ଫସଲ ବୀମା ପୋର୍ଟାଲ (ଏନସିଆଇପି) ଜରିଆରେ ବୀମା କ୍ଷତିପୂରଣ ଦାବି ପାଇଁ ଏକ ଡିଜିଟାଲ ବ୍ୟବସ୍ଥା।

ଏହି ମଡ୍ୟୁଲ ଉନ୍ମୋଚନ ହେବା ପରେ ଇଲେକ୍ଟ୍ରୋନିକ ମାଧ୍ୟମରେ ବୀମା ଦାବିଗୁଡ଼ିକର ବିତରଣ କରାଯାଇପାରିବ ଯାହାଦ୍ୱାରା ଛଅଟି ରାଜ୍ୟର ଚାଷୀମାନେ ଲାଭ ପାଇପାରିବେ । ଏବେ ଏହି ସ୍ୱୟଂକ୍ରିୟ ଦାବି ସମାଧାନ ପ୍ରକ୍ରିୟା ସବୁ ବୀମାଭୁକ୍ତ ଚାଷୀମାନଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ଏକ ଦୀର୍ଘସ୍ଥାୟୀ ଆର୍ଥିକ ପ୍ରବାହ ଓ ସହାୟତା ଯୋଗାଇ ଦେବା ନିମନ୍ତେ ଜାରି ରହିଥିବା କାର୍ଯ୍ୟରେ ବିଶେଷ ସହାୟକ ହେବ ।

ଏହି ଅବସରରେ ତୋମରଙ୍କ ବ୍ୟତୀତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ, ଉତ୍ତର ପ୍ରଦେଶ କୃଷି ମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ମନୋଜ ଆହୁଜା, ପିଏମଏଫବିୱାଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଚୌହାନଙ୍କ ସମେତ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତୀୟ କୃଷି ବୀମା କମ୍ପାନୀ ଲିଃ., ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ସିଏମଡିମାନଙ୍କ ସହିତ ନେସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ (ଏନଆଇସି), ଏଚଡିଏଫସି ଇର୍ଗୋ, ବଜାଜ ଆଲିଆଞ୍ଜ, ରିଲାଏନ୍ସ ଜିଆଇସି, ଆଇସିଆଇସିଆଇ ଲୋମ୍ବାର୍ଡ, ଫ୍ୟୁଚର ଜେନେରାଲି, ଇଫକୋ ଟୋକିଓ, ଚୋଲାମଣ୍ଡଲମ ଏମଏସ, ୟୁନିଭର୍ସାଲ ସୋମ୍ପୋ ଏବଂ ଟାଟା ଏଆଇଜିର ପ୍ରତିନିଧିଗଣ ମଧ୍ୟ ଏଥିରେ ଉପସ୍ଥିତ ରହିଥିଲେ । ଏମାନଙ୍କ ବ୍ୟତୀତ ଭାରତୀୟ ଷ୍ଟେଟବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ୟେସ ବ୍ୟାଙ୍କର ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତୋମର କହିଥିଲେ ଯେ, ଚାଷୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ସ୍ୱୟଂକ୍ରିୟ ଭାବେ ଡିଜିଟାଲ ମାଧ୍ୟମରେ ବୀମା ଦାବି ଅର୍ଥ ପ୍ରଦାନ କରିବା ଲାଗି ଆମ ମନ୍ତ୍ରଣାଳୟ ଏଭଳି ଏକ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରିବା ଖୁସିର ବିଷୟ। ଏହା ଆମ ଚାଷୀମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବାରେ ସହାୟକ ହେବ । ଡିଜିକ୍ଲେମ ମଡ୍ୟୁଲ ଶୁଭାରମ୍ଭ ହେବା ସହିତ ମାର୍ଚ୍ଚ ୨୩, ୨୦୨୩ରେ ମୋଟ୍‌ ୧୨୬୦.୩୫ କୋଟି ଟଙ୍କାର ବୀମା ଦାବି ମାତ୍ର ଗୋଟିଏ ବଟନ କ୍ଲିକ୍‌ରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ଏହାଦ୍ୱାରା ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ ଓ ହରିୟାଣାର ଚାଷୀମାନେ ଲାଭବାନ ହୋଇଛନ୍ତି । ଆଗକୁ ମଧ୍ୟ ବୀମା କ୍ଷତିପୂରଣ ଦାବି ଅର୍ଥ ବିତରଣ ସମୟରେ ଏହି ପ୍ରକ୍ରିୟା ଅବଲମ୍ବନ କରାଯିବ । କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧.୩୨ ଲକ୍ଷ କୋଟି ଟଙ୍କାର ବୀମା ଦାବି ଚାଷୀମାନଙ୍କୁ ପ୍ରଦାନ କରାଯାଇସାରିଛି । ଏହି ଅବସରରେ ସେ ସ୍ୱତନ୍ତ୍ର ଭାବେ ‘ମେରୀ ପଲିସୀ, ମେରେ ହାତ୍‌’ ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଦିଗରେ ଏହା ସହାୟକ ହୋଇପାରିବ ।

ତୋମର ଆହୁରି କହିଥିଲେ ଯେ, ଏହି ଯୋଜନାରୁ ବାହାରି ଯାଇଥିବା ରାଜ୍ୟମାନଙ୍କ ସହିତ ଭାରତ ସରକାର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିବା ଫଳରେ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବ ପୁଣିଥରେ ଏହି ଯୋଜନାକୁ ଫେରୁଛନ୍ତି, ଏହା ସହଯୋଗୀ ସଂଘୀୟବ୍ୟବସ୍ଥାର ଏକ ଉଜ୍ଜ୍ୱଳ ଉଦାହରଣ । ତେଲଙ୍ଗାନା, ଗୁଜରାଟ, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଏ ଦିଗରେ ଆଲୋଚନା ଜାରି ରହିଛି । ଏସବୁ ରାଜ୍ୟ ମଧ୍ୟରୁ ତେଲଙ୍ଗାନା ଓ ଝାଡ଼ଖଣ୍ଡ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନକୁ ଆସିବା ଲାଗି ସେମାନଙ୍କର ଇଚ୍ଛା ଜାହିର କରିଛନ୍ତି ।

ବର୍ତ୍ତମାନର ବ୍ୟବସ୍ଥାରେ, ଏପରି କିଛି ଉଦାହରଣ ରହିଛି ଯେଉଁଥିରେ ବିଭିନ୍ନ କାରଣ ପାଇଁ ଚାଷୀଙ୍କ ବୀମା ଦାବି ମିଳିବାରେ ବିଳମ୍ବ ହେଉଛି । ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ବୈଧ ଫସଲ ହାନି ଦାବିର ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡିଜିକ୍ଲେମ ମଡ୍ୟୁଲର ଶୁଭାରମ୍ଭ କରାଯାଇଛି । ଏଥିସହିତ, ଏବେ ଚାଷୀମାନଙ୍କର ଦାବି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାରଦର୍ଶୀ ଓ ଉତ୍ତରଦାୟୀ ଢଙ୍ଗରେ ହସ୍ତାନ୍ତର କରାଯାଇପାରିବ । ଜାତୀୟ ଫସଲ ବୀମା ପୋର୍ଟାଲ (ଏନସିଆଇପି) ଏବଂ ପବ୍ଲିକ୍‌ ଫିନାନ୍ସ ମେନେଜମେଣ୍ଟ ସିଷ୍ଟମ (ପିଏଫଏମଏସ)ର ଏକୀକରଣ ଜରିଆରେ ଏହି ପ୍ରଯୁକ୍ତିକୁ କାର୍ଯ୍ୟକ୍ଷମ କରାଯିବ ।

ଡିଜିକ୍ଲେମ୍‌ ପ୍ରଚଳନ ଫଳରେ ଦାବି ଫେରସ୍ତ ଅନୁପାତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହି ପ୍ରଯୁକ୍ତିଗତ ପ୍ରଗତିର ଆଉ ଏକ ଲାଭ ହେଉଛି ଚାଷୀମାନେ ନିଜ ମୋବାଇଲ ଫୋନରେ ଦାବି ସେଟଲମେଣ୍ଟ ପ୍ରକ୍ରିୟାକୁ ବାସ୍ତବ ସମୟରେ ଟ୍ରାକ୍‌ କରିପାରିବେ ଏବଂ ଯୋଜନାର ଲାଭ ପାଇପାରିବେ ।

Get real time updates directly on you device, subscribe now.