ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମୋଦୀ ସରକାର ନେଇଛନ୍ତି ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ: କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ୱର : ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମୋଦୀ ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ବୌଦ୍ଧଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସ୍ୱରାଷ୍ଟ୍ୟବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା କହିଛନ୍ତି । କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଶୃଙ୍ଖଳାର ସହ କାର୍ଯ୍ୟ କରିବାକୁ ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ନୟାଗଡ଼ ଗସ୍ତ ଅବସରରେ ଦଶପଲ୍ଲାଠାରେ ଆୟୋଜିତ ଦଳୀୟ କର୍ମୀ ସମ୍ମିଳନୀରେ ଶ୍ରୀ ରାୟ ଯୋଗଦେଇଥିଲେ । ଉଦ୍‍ବୋଧନ ଦେବା ଅବସରରେ ସେ କହିଥିଲେ, ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ପ୍ରତି ବୁଥରେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବାକୁ ସେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରଠାରେ ପହଞ୍ôଚଥିଲେ । ସେଠାରେ ସେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କେତେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାପରେ ସେ ନୟାଗଡ଼ ଗସ୍ତ କରିଥିଲେ । ଓଡ଼ିଶା ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ରାୟ କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବୌଦ୍ଧଠାରୁ ସେ ଫୁଲବାଣୀ ଗସ୍ତରେ ଯିବେ । ଆସନ୍ତାକାଲି ଫୁଲବାଣୀର ଜି.ଉଦୟଗିରି, ବାଲିଗୁଡ଼ା ଏବଂ ଜଳେଶପଟ୍ଟାଠାରେ ଦଳୀୟ କର୍ମୀଙ୍କସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇ ହିନ୍ଦୋଳ ବ୍ଲକରେ ଥିବା ମା’ ବାଉଡ଼ୀଙ୍କ ମନ୍ଦିର ଦର୍ଶନ କରିବା ସହ ହିନ୍ଦୋଳ ବିଧାନସଭାର ସଂଚାଳନ ସମିତିର କୋର୍‍ କମିଟିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜିଲ୍ଲାର ରସୋଳଠାରେ ପୁରାତନ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ କରିବେ । ପରେ କାମାକ୍ଷାନଗରରେ ପର୍ଜଙ୍ଗ ବିଧାନସଭାର ପ୍ରତି ପଞ୍ଚାୟତର ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଦିନ ଅନୁଗୁଳ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ବୈଠକପରେ କଣିହାଁ ଓ ପାଲଲହଡ଼ା ବ୍ଲକରେ ଦଳୀୟ କର୍ମୀଙ୍କ ସହ ଆଲୋଚନାପରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।