fbpx

ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ପ୍ରମାଣ ମିଳିଲେ ମନ୍ତ୍ରୀଙ୍କୁ କରାଯିବ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ମନ୍ତ୍ରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଲେ ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେବେ ତଦନ୍ତ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଅତିରିକ୍ତ ଏସପି, ସଦର ଏସଡିପିଓ ଓ ଟାଉନ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ତେବେ ଦୁଇ ଅଭିଯୋଗକାରୀଙ୍କ ବ୍ୟତୀତ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ତଦନ୍ତକାରୀ ଟିମ୍ ସାଇଣ୍ଟିଫିକ ଟିମର ସହାୟତା ନେଇଛି ।

ତେବେ ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ତଥ୍ୟ ସଂଗ୍ରହ କରିବା ସହ ଭାଇରାଲ ଅଡିଓ ମନ୍ତ୍ରୀଙ୍କର କି ନୁହେଁ ତାହା ତର୍ଜମା ପାଇଁ ପରୀକ୍ଷଣ କେନ୍ଦ୍ରକୁ ପଠାଇଛି । ଟୁଡୁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ସମସ୍ତ ନିୟମକୁ ଆଧାର କରି ଏନେଇ ଲୋକସଭା ବାଚସ୍ପତିଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ଯଦି ଉପଯୁକ୍ତ ପ୍ରମାଣ ମିଳେ, ତେବେ ମନ୍ତ୍ରୀଙ୍କୁ ଜେରା କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ କେନ୍ଦ୍ର ମନ୍ତ୍ରୀ ଟୁଡୁ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ ଅଫିସର ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଲିଖିତ ଅଭିଯୋଗ କରିବାକୁ ଜିଲ୍ଲାପାଳ ଉଭୟ କର୍ମଚାରୀଙ୍କୁ କହିଥିଲେ । ତେବେ ଏହି ଘଟଣାକୁ ମନ୍ତ୍ରୀ ଖଣ୍ଡନ କରିବା ସହ ଆଗକୁ ନିର୍ବାଚନ ଥିବାରୁ ତାଙ୍କୁ ବଦନାମ କରିବାକୁ ମିଥ୍ୟା ଆରୋପ ଅଣାଯାଇଥିବା କହିଥିଲେ ।

Get real time updates directly on you device, subscribe now.