ଉତ୍ତର ପ୍ରଦେଶ ନିର୍ବାଚନ: ସପାରେ ଯୋଗଦେଲେ ବିଜେପି ସାଂସଦଙ୍କ ପୁଅ, ଅଖିଳେଶ କହିଲେ ବଢ଼ିବ ଦଳର ମନୋବଳ

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ବାକି ରହିଛି ଶେଷ ପର୍ଯ୍ୟାୟ ମତଦାନ । ମାର୍ଚ୍ଚ ୭ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟ ପାଇଁ ପୂରା ଦମ୍ ଲଗାଉଛନ୍ତି ରାଜନୀତିକ ଦଳମାନେ । ଏହାରି ମଧ୍ୟରେ ନିର୍ବାଚନୀ ଜନସଭାରେ ବଡ଼ ଘୋଷଣା କରିଛନ୍ତି । ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ।

ଆଜମଗଢ଼ ରାଲିରେ ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କ ପୁଅ ମୟଙ୍କ ଜୋଶୀ ସମାଜବାଦୀ ପାର୍ଟୀରେ ଯୋଗ ଦେଇଛନ୍ତି । ମୟଙ୍କ ସମାଜବାଦୀ ପାର୍ଟୀରେ ଯୋଗଦେବା ଯୋଗୁଁ ପାର୍ଟୀ ଆହୁରି ମଜବୁତ ହେବ । ଅଖିଳେଶ ଯାଦବ କହିଛନ୍ତି ଯେ ୟୁପି ରେ ସମାଜବାଦୀ ପାର୍ଟୀ ସରକାର ଗଠନ କରିବାକୁ ଯାଉଛି ଏବେ ଏହାକୁ କେହି ରୋକିପାରିବେ ନାହିଁ । ଏହା ସହ ଅଖିଳେଶ ମଞ୍ଚ ଉପରେ ମୟଙ୍କ ଯୋଶୀଙ୍କ ହାତ ଧରି ତାଙ୍କର ସ୍ୱାଗତ କରିଥିଲେ ଏବଂ କହିଥିଲେ ମୟଙ୍କ ସମାଜବାଦୀ ପାର୍ଟୀରେ ଯୋଗଦେବା ଦ୍ୱାରା ଦଳର ମନୋବଳ ବଢ଼ିବ ।

ସୂଚନାଯୋଗ୍ୟ, ନିକଟରେ ପ୍ରୟାଗରାଜର ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀଙ୍କ ସହ ଅଖିଳେଶ ଯାଦବ ସାକ୍ଷାତ କରିଥିଲେ । ଯାହାର ଫଟୋ ନିଜେ ସପା ମୁଖ୍ୟ ଶେୟାର କରିଥିଲେ । ଏହାପରେ ଅନୁମାନ କରାଯାଉଥିଲା ଯେ ମୟଙ୍କ ଯୋଶୀ ସପା ହାତ ଧରିପାରନ୍ତି ।

ନିକଟରେ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କୁ ନେଇ କହିଥିଲେ ଯେ ରୀତା ବିଜେପି ଛାଡ଼ି ସପାରେ ସାମିଲ ହେବା ନେଇ ସେ କିଛି କହିପାରିବେ ନାହିଁ, କିନ୍ତୁ ସେ କହିଥିଲେ ଯେ ତାଙ୍କ ପୁଅଙ୍କ ସହ ସାକ୍ଷାତକାର ହୋଇଛି । ବର୍ତ୍ତମାନ ସପା ଦଳରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରୁଛି  ।