ନୂଆଦିଲ୍ଲୀ: ଦୁଷ୍କର୍ମରେ ପୁଣି କି ବୁଝାମଣା? ଦୁଷ୍କର୍ମ ପରେ କୌଣସି ବୁଝାମଣା ସମ୍ଭବ ହେବନି । ଏମିତି କହି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଦୁଷ୍କର୍ମକାରୀ ଓ ପୀଡିତା ମଧ୍ୟରେ ବୁଝାମଣା ହୋଇଗଲେ ମମଲା ରଦ୍ଦ ହୋଇପାରିବ ନାହିଁ । ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏପରି କହି ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ।
ମାମଲାର ଶୁଣାଣି କରି ବିଚାରପତି ରବିକୁମାର କହିଛନ୍ତି, ଏଫଆଇଆର ଓ ଫୌଜଦାରୀ ମାମଲା ଆଇନ ଅନୁଯାୟୀ ଆଗକୁ ବଢିବ । ଅପରାଧ ଅଣ ବୁଝାମଣା ଧାରା ଅନ୍ତର୍ଗତ ଆସିଥାଏ, ତେଣୁ ହାଇକୋର୍ଟ ଦେଇଥିବା ଆଦେଶ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମ କୋର୍ଟ କରିବା ସହ ପୂର୍ବ ରାୟକୁ ଖାରଜ କରିଦେଇଛନ୍ତି ।
ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ଛାତ୍ରୀଙ୍କୁ ଦୁଷ୍କର୍ମ ଦେବା ମାମଲାରେ ଆଶ୍ୱସ୍ତି ଦେଇଥିଲେ । ଉଭୟଙ୍କ ଭିତରେ ଏକ ବୁଝାମଣା ସମ୍ଭବ ହୋଇଥିବାରୁ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ହାଇକୋର୍ଟ, ଯାହାକୁ ସୁପ୍ରିମ କୋର୍ଟ ଖାରଜ କରିବା ସହ ଶିକ୍ଷକଙ୍କ ବିରୋଧରେ ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ କହି ରଖୁଛୁ କି, ୨୦୨୨ ମସିହାରେ ରାଜସ୍ଥାନର ଗଙ୍ଗାପୁର ସହରର ଜଣେ ଦଳିତ ନାବାଳିକାଙ୍କୁ ଏକ ସରକାରୀ ସ୍କୁଲର ଶିକ୍ଷକ ଯୌନ ଉତ୍ପୀଡନା ଦେଇଥିଲେ । ଏହାକୁ ନେଇ ପୋଲିସରେ ମାମଲା ହୋଇଥିଲା । ପୋଲିସ ପକ୍ସୋ ଆକ୍ଟ ଓ ଏସସି ଓ ଏସଟି ଆକ୍ଟରେ ମାମଲା ଦାୟର କରିଥିଲା । ପରେ ଅଭିଯୁକ୍ତ ଶିକ୍ଷକ ଅଭିଯୋଗକାରିଣୀଙ୍କ ପରିବାରଠାରୁ ଏକ ଷ୍ଟାମ୍ପ ପେପରେ ଦସ୍ତଖତ ଆଣି କୋର୍ଟରେ ଦର୍ଶାଇଥିଲେ କି, ଭୁଲ ବଶତଃ ସେମାନେ ମାମଲା ଦାୟର କରିଥିଲେ ।
କିନ୍ତୁ କୋର୍ଟ ଏହି ବୟାନକୁ ଖାରଜ କରିଦେଇଥିଲେ । ଏହା ବିରୋଧରେ ଶିକ୍ଷକ ହାଇକୋର୍ଟକୁ ଯାଇଥିଲେ ଓ କୋର୍ଟ ମାମଲାରୁ ଅଭିଯୁକ୍ତ ଶିକ୍ଷକଙ୍କୁ ମୁକ୍ତ କରିଥିଲେ ।