fbpx

ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ: କହିଲେ- ‘ଅଭିଯୁକ୍ତଙ୍କୁ ଦଣ୍ଡରୁ ମୁକ୍ତି ପାଇଁ ସମସ୍ତ ସୁଯୋଗ ମିଳିବା ଉଚିତ୍’

ନୂଆଦିଲ୍ଲୀ : ମୃତ୍ୟୁଦଣ୍ଡକୁ ନେଇ ବୁଧବାର ଦିନ ଏକ ଗୁରୁତ୍ୱପୂଣ୍ଁ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି କି, ‘ମୃତ୍ୟୁଦଣ୍ଡ ଅପରିବର୍ତ୍ତନୀୟ, ଏଥିପାଇଁ ଅଭିଯୁକ୍ତଙ୍କୁ ଦଣ୍ଡରୁ ମୁକ୍ତି ପାଇଁ ସମସ୍ତ ସିୁଯୋଗ ମିଳିବା ଉଚିତ୍ ।’ ଜଣଙ୍କୁ ଥରେ ଫାଶୀ ଖୁଣ୍ଟରେ ଝୁଲାଇ ସାରିବା ପରେ ପୁଣିଥରେ ଜୀବନ ଦେବା ସମ୍ଭବ ନୁହେଁ । ଏଣୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତକୁ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସବୁ ସୁଯୋଗ ଦେବା ଉଚିତ । ଜଷ୍ଟିସ୍ ୟୁ.ୟୁ ଲଲିତଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣିକୁ ସଂରକ୍ଷିତ ରଖାଯାଇଛି ।

ବେଞ୍ଚ କହିଛନ୍ତି ଯେ ଏଭଳି ମାମଲାରେ କୌଣସି ଶୁଣାଣି କରିବା ପୂର୍ବରୁ କୋର୍ଟ ରାୟକୁ ସ୍ଥଗିତ ରଖିପାରିବେ । ଜଷ୍ଟିସ ଏସଆର ଭଟ୍ଟ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆ ମଧ୍ୟ ଏହି ବେଞ୍ଚର ସଦସ୍ୟ ଥିଲେ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଯଦି ନିୟମ ମୁତାବକ କୋର୍ଟଙ୍କୁ ଲାଗେ ଯେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ଜରୁରୀ ନୁହେଁ, ତେବେ ସେହି ଦିନ ହିଁ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିପାରିବେ । କୋର୍ଟଙ୍କ ନିକଟରେ ଏଥିପାଇଁ ସ୍ୱାଧୀନତା ରହିବା ଆବଶ୍ୟକ । ଅନ୍ୟପଟେ ଯଦି ଏହି ମାମଲାରେ ମୃତ୍ୟୁଦଣ୍ଡ ସମ୍ପର୍କରେ କିଛି ଅଧିକ ଆଲୋଚନା ଆବଶ୍ୟକତା ରହିଛି, ତେବେ ଏଥିପାଇଁ ମଧ୍ୟ ଚେଷ୍ଟା କରାଯିବା ଉଚିତ୍ ବୋଲି ବେଞ୍ଚ କହିଛନ୍ତି ।

ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବଙ୍କୁ ନୋଟିସ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ କେଉଁ ପରିସ୍ଥିତିରେ ଜଣେ ବିଚାରପତିଙ୍କୁ ଆଜୀବନ କାରାଦଣ୍ଡ ଏବଂ ମୃତ୍ୟୁଦଣ୍ଡ ମଧ୍ୟରେ ଚୟନ କରିବାକୁ ପଡ଼ିବ, ସେ ନେଇ ବିସ୍ତୃତ ଭାବେ ଜଣାନ୍ତୁ ।

ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଯେଉଁ ମାମଲାରେ ମୃତ୍ୟୁ ଦଣ୍ଡର ଆଶଙ୍କା କମ୍ ରହିଛି, ସେଠାରେ ଅପରାଧକୁ କମ୍ କରିବାକୁ ଯଥା ସମ୍ଭବ ପରିସ୍ଥିତି ଉପରେ ବିଚାର କରିବାର ଆବଶ୍ୟକତା ରହିଛି । କୋର୍ଟ କହିଛନ୍ତି ଯେ ମୃତ୍ୟୁ ଦଣ୍ଡ ଥିବା ଅପରାଧରେ ରାଜ୍ୟ ସରକାରଙ୍କୁ ତତ୍ପରତା ଦେଖାଇ ଅଭିଯୁକ୍ତର ମାନସିକତାକୁ ଜାଣିବା ଆବଶ୍ୟକ । ଯାହାକୁ ଏକ ପ୍ରମାଣ ଆକାରରେ କୋର୍ଟରେ ଉପସ୍ଥାପନ କରିହେବ । ଏହା ଦ୍ୱାରା କିଛିକାଂଶରେ ଅପରାଧକୁ କମାଯାଇପାରିବ ବୋଲି କହିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଅପରାଧରେ ରାଜ୍ୟ ତୁରନ୍ତ ଅଭିଯୁକ୍ତଙ୍କ ମାନସିକ ମୂଲ୍ୟାଙ୍କନ କରିବା ଉଚିତ ଏବଂ ଏହାକୁ ଅଧିବେଶନ କୋର୍ଟରେ ପ୍ରମାଣ ଭାବରେ ଉପସ୍ଥାପନ କରିବା ଉଚିତ।

Get real time updates directly on you device, subscribe now.