ଟୋକିଓ,୧୧ା୪: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜାପାନ ପୋଷ୍ଟ ଅଫିସର ଜଣେ କର୍ମଚାରୀଙ୍କୁ ଅଜବ ଆଚରଣ ପାଇଁ ଗିରଫ କରାଯାଇଛି। ଜଣେ ମହିଳା ସହକର୍ମୀଙ୍କୁ ବ୍ୟବହୃତ କଣ୍ଡୋମ ଏବଂ ଅନ୍ୟାନ୍ୟ ଜିନିଷ ଥିବା ଏକ ଲଫାପା ପଠାଇବା ଅଭିଯୋଗରେ ପୋଲିସ ୪୩ ବର୍ଷୀୟ ୟାସୁହିରୋ ନାକାଜିମାଙ୍କୁ ଗିରଫ କରିଛି। ଏହି ଘଟଣା ଗତ ବର୍ଷ ଡିସେମ୍ବରରେ ଘଟିଥିବା ବେଳେ ଏବେ ଏହାର ତଦନ୍ତ କରାଯାଉଛି ।
ନାକାଜିମା ସେତେବେଳେ ଓସାକାରୁ ପ୍ରାୟ ୧୫ କିଲୋମିଟର ଦୂରରେ ନେୟାଗାୱା ସହରରେ ଏକ ପୋଷ୍ଟ ଅଫିସରେ କାମ କରୁଥିଲେ। ଯେତେବେଳେ ଏହି ସନ୍ଦିଗ୍ଧ ପ୍ୟାକେଜ୍ ପୋଷ୍ଟ ଅଫିସରେ ପହଞ୍ଚିଲା, ସେଠାରେ ଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ଏହି ମାମଲାରେ “କାର୍ଯ୍ୟରେ ବାଧା” ଦେବା ଅଭିଯୋଗରେ ଓସାକା ପ୍ରିଫେକ୍ଚରାଲ୍ ପୋଲିସ ନାକାଜିମାଙ୍କୁ ଗିରଫ କରିଛି। ହାତଲେଖା ଏବଂ ଡିଏନଏ ପରୀକ୍ଷା ଆଧାରରେ ତାଙ୍କୁ ଚିହ୍ନଟ କରାଯାଇଥିଲା।
ପଚରାଉଚରା ସମୟରେ, ନାକାଜିମା ସ୍ୱୀକାର କରିଥିଲେ ଯେ, ସେ ପ୍ୟାକେଜଟି ପଠାଇଥିଲେ, କିନ୍ତୁ ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, “ମୁଁ ମୋର ଯୌନ ଇଚ୍ଛାକୁ ପୂରଣ କରିବା ପାଇଁ ଏହା କରିଥିଲି, କିନ୍ତୁ ମୋର ଉଦ୍ଦେଶ୍ୟ ପୋଷ୍ଟ ଅଫିସ୍ କାମରେ କୌଣସି ପ୍ରକାରେ ବାଧା ସୃଷ୍ଟି କରିବା ନଥିଲା।” ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ଲୋକେ କ୍ରୋଧ ପ୍ରକାଶ କରିବା ସହ ସେ ଏପରି କାହିଁକି କଲେ ବୋଲି ପ୍ରଶ୍ନ କରୁଛନ୍ତି ।
ଜଣେ ବ୍ୟକ୍ତି କହିଛନ୍ତି: “କାର୍ଯ୍ୟରେ ବାଧା ସୃଷ୍ଟି କରିବା ପରିବର୍ତ୍ତେ ତାଙ୍କୁ ଯୌନ ଅପରାଧ ଅନୁଯାୟୀ ଦଣ୍ଡିତ କରାଯିବା ଉଚିତ। ନଚେତ୍ ମୁଁ ଭାବୁନାହିଁ ଯେ, ସେ ବୁଝିବେ ଯେ ସେ ଏକ ଅପରାଧ କରିଛନ୍ତି।” ରିପୋର୍ଟ ଅନୁଯାୟୀ, ପୋଲିସ ନାକାଜିମାଙ୍କ ଘରୁ କଣ୍ଡୋମ ଥିବା ଆଉ ଦୁଇଟି ଲଫାପା ପାଇଛି। ପୋଲିସ କହିଛି, ସେମାନେ ଓସାକା ପ୍ରଦେଶର ବିଭିନ୍ନ ପୋଷ୍ଟ ଅଫିସରେ ଡଜନେ ଡଜନେ ସମାନ ଅଭିଯୋଗ ପାଇସାରିଛନ୍ତି ଏବଂ ନାକାଜିମା ଅନ୍ୟ ମାମଲାରେ ଜଡିତ କି ନାହିଁ ତାହା ତଦନ୍ତ କରୁଛନ୍ତି।