ଉତ୍ତରପ୍ରଦେଶ ବିଧାନସଭା ଉପ ନିର୍ବାଚନ: ୫ ଜଣ ପ୍ରାର୍ଥୀ ପ୍ରତ୍ୟାହାର କଲେ ନାମାଙ୍କନ, ବର୍ତ୍ତମାନ ମଇଦାନରେ ୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଟକ୍କର

ଲକ୍ଷ୍ନୌ: ଆସନ୍ତା ନଭେମ୍ବର ୧୩ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଏଥିମଧ୍ୟରେ ଗୁରୁବାର ୫ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ବର୍ତ୍ତମାନ ମଇଦାନରେ ୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ନିର୍ବାଚନ ଆୟୋଗ ଅକ୍ଟୋବର ୧୫କୁ ଉତ୍ତରପ୍ରଦେଶର ୯ଟି ଆସନରେ ଉପ ନିର୍ବାଚନ ଘୋଷଣା କରିଥିଲେ । ଅକ୍ଟୋବର ୨୫ ପର୍ଯ୍ୟନ୍ତ ମୋଟ୍ ୧୪୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । । ଏଥିମଧ୍ୟରୁ ମୀରାପୁର(୩୪), କୁନ୍ଦରକି(୧୯), ଗାଜିଆବାଦ(୧୯), ଖୈର(୧୬), କରହଲ(୧୦), ଶୀଷମଉ(୧୧), ଫୁଲପୁର(୧୯), କଟହୋରି(୧୪) ଏବଂ ମଝଗାୱଁ(୧୭) । ଏହି ସମସ୍ତ ଆସନରେ ଯାଞ୍ଚ୍ ପରେ ୯୫ ନାମାଙ୍କନ ବୈଧ ବୋଲି ଜଣାପଡ଼ିଥିଲା । ତେବେ ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀମାନେ ହେଲେ କୁନ୍ଦରକି ଆସନରୁ ସ୍ୱାଧୀନ ପ୍ରାର୍ଥୀ (ଜୟବୀର ସିଂହ ଓ ବୃଜାନନ୍ଦ), ମୀରାପୁରରୁ ସ୍ୱାଧୀନ ପ୍ରାର୍ଥୀ(ଶାହ ମୋହମ୍ମଦ ରାଣା), ସୀସାମଉ ରାଷ୍ଟ୍ରବାଦୀ ଜନତାନ୍ତ୍ରିକ ଦଳରୁ(ମୋହମ୍ମ ଅଫତାବ ଶରିଫ) ଏବଂ କଟହୋରିରୁ ରାଷ୍ଟ୍ରିୟ ଭାଗିଦାରୀ ପାର୍ଟି(କୃଷ୍ଣାବତି) । କହିରଖୁଛୁ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା ୩୦ ଅକ୍ଟୋବର । ଆସନ୍ତା ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ ।