ୟୁସିସି କ’ଣ, କାହିଁକି ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡ୍‌ର ଡ୍ରାଫ୍ଟରୁ ବାଦ୍ ପଡ଼ିଲେ ଆଦିବାସୀ ସମ୍ପ୍ରଦାୟ?

ନୂଆଦିଲ୍ଲୀ: ଜାଣନ୍ତୁ କ’ଣ ଏହି ୟୁନିଫର୍ମ ସିଭିଲ କୋଡ୍?- ୟୁନିଫର୍ମ ସିଭିଲ କୋଡ୍ ହେଉଛି ନାଗରିକମାନଙ୍କର ବ୍ୟକ୍ତିଗତ ଆଇନ ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ପାଇଁ ଭାରତରେ ଏକ ପ୍ରସ୍ତାବ ଯାହା ସମସ୍ତ ନାଗରିକଙ୍କ ଧର୍ମ, ଲିଙ୍ଗ ଏବଂ ଯୌନ ଆଭିମୁଖ୍ୟ ନିର୍ବିଶେଷରେ ସମାନ ଭାବରେ ଲାଗୁ ହୁଏ । ବର୍ତମାନ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଗତ ନିୟମ ସେମାନଙ୍କ ଧାର୍ମିକ ଶାସ୍ତ୍ର ଦ୍ୱାରା ପରିଚାଳିତ ହେଉଛି।

ତଗକାଲି ୟୁନିଫର୍ମ ସିଭିଲ କୋଡ୍ ଅର୍ଥାତ୍ ୟୁସିସିର ଚୂଡ଼ାନ୍ତ ଡ୍ରାଫ୍ଟକୁ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ୍ ଅନୁମୋଦନ କରିଛି। ସୋମବାରଠାରୁ ରାଜ୍ୟ ବିଧାନସଭାର ୪ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଧାମି ସରକାର ଏହି ବିଲ୍ ଆଗତ କରିବେ ବୋଲି ଅନୁମାନ କରାଯାଉଛି। ରବିବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଅଧ୍ୟକ୍ଷତାରେ ତାଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ୟୁନିଫର୍ମ ସିଭିଲ କୋଡ୍‌ର ଡ୍ରାଫ୍ଟକୁ ଅନୁମୋଦନ କରିଛି କ୍ୟାବିନେଟ୍।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ପ୍ୟାନେଲ ୭୪୦ ପୃଷ୍ଠାର ୟୁନିଫର୍ମ ସିଭିଲ କୋଡ୍‌ର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରି ଶୁକ୍ରବାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହି ଡ୍ରାଫ୍ଟରେ ବହୁବିବାହ କୁ ନିଷିଦ୍ଧ କରିବା ଏବଂ ସମସ୍ତ ଧର୍ମରେ ବିବାହର ସର୍ବନିମ୍ନ ବୟସ ସମାନ କରିବାକୁ ପରାମର୍ଶ ଦିଆଯାଇଛି। ଆଦିବାସୀ ସମ୍ପ୍ରଦାୟ ଏଥିରୁ ବାଦ୍ ପଡ଼ିଛନ୍ତି।

ତେବେ ଆଦିବାସୀ ସମ୍ପ୍ରଦାୟ ଏଥିରୁ ବାଦ୍ ପଡ଼ିଛନ୍ତି ତାହା ଉପରେ ନଜର ପକାଇବା। ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କର ଅନେକ ପରମ୍ପରା ରହିଛି, ଆଉ ସେମାନେ ତାଙ୍କ ପରମ୍ପରାକୁ ନେଇ ବହୁତ ଅଧିକ ଭାବାବେଗ ହୋଇଥାନ୍ତି। ସେହି ପରି କିଛି କାରଣକୁ ନେଇ ଉତ୍ତରାଖଣ୍ଡ ସରକାର ଏପରି ନିଷ୍ପତି ନେଇଥାଇ ପାରନ୍ତି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।