୧୭ ଦିନ ଟନେଲରେ ରହିବା ପରେ ଶ୍ରମିକମାନଙ୍କୁ ହୋଇପାରେ ଏହିସବୁ ସ୍ୱାସ୍ଥ୍ୟଜନିତ ସମସ୍ୟା: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଦୀର୍ଘ୧୭ ଦିନର ଚେଷ୍ଟା ପରେ ଉତ୍ତରକାଶୀରେ ଟନେଲରେ ଫସିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ୟ୍ୟ ଶେଷ ହୋଇଛି। ବର୍ତ୍ତମାନ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଅଛନ୍ତି। ଶ୍ରମିକଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସାରା ଦେଶ ପ୍ରାର୍ଥନା କରୁଥିଲା। ଶ୍ରମିକମାନଙ୍କୁ ଟନେଲରୁ ବାହାର କରାଯିବା ମାତ୍ରେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ବିଶେଷଜ୍ଞଙ୍କ ଅନୁଯାୟୀ, ୧୬ ଦିନ ଅନ୍ଧାର ଟନେଲରେ ଫସି ରହିଥିବାରୁ ଶ୍ରମିକମାନେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଶ୍ରମିକମାନେ ୧୬ ଘଣ୍ଟା ଅନ୍ଧାରରେ ରହିବା ପରେ ହଠାତ ଆଲୋକକୁ ଆସିବା କାରଣରୁ ସେମାନେ ଆଖି ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆଖି ବ୍ୟତୀତ ଶ୍ରମିକମାନେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭୋଗିପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ।

ଫୁସଫୁସ ସଂକ୍ରମଣ- ଶ୍ରମିକମାନେ ୧୬ ଦିନ ଧରି ଟନେଲରେ ଫସି ରହିଥିଲେ । ଟନେଲରେ ଅମ୍ଳଜାନର ଅଭାବ ଥିବା କାରଣରୁ ସେମାନଙ୍କୁ ପାଇପ ମାଧ୍ୟମରେ ବାହାରୁ ଅମ୍ଳଜାନ ଯୋଗାଇବାକୁ ପଡୁଥିଲା। ତେବେ ସଠିକ ପରିମାଣର ଅମ୍ଳଜାନ ନ ପାଇବା କାରଣରୁ ସେମାନେ ଫୁସଫୁସ ସଂକ୍ରମଣରେ ପୀଡିତ ହେବାର ସମ୍ଭାବନା ରହିଛି । ଏହା ଦ୍ୱାରୋ ସେମାନେ ଶ୍ୱାସକ୍ରିୟା ଜନିତ ଅସୁବିଧା ମଧ୍ୟ ଭୋଗି ପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି ।

ଜୀବାଣୁ ସଂକ୍ରମଣ– ଉପଯୁକ୍ତ ଖାଦ୍ୟ ଏବଂ ଜଳର ଅଭାବ ହେତୁ ଶ୍ରମିକମାନଙ୍କଠାରେ ଡିହାଇଡ୍ରେସନ୍ ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ୧୬ ଦିନ ଟନେଲରେ ଏକାଠି ଥିଲେ। ସେହି କାରଣରୁ ବିଭିନ୍ନ ପ୍ରକାରର ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି । ଜୀବାଣୁ ଏବଂ ଫଙ୍ଗାଲ ସଂକ୍ରମଣ ଯୋଗୁଁ ଚର୍ମ ରୋଗର ଆଶଙ୍କା ମଧ୍ୟ ବଢ଼ିଯାଇଛି ।

ଚିନ୍ତା ଏବଂ ଅବସାଦ- ଏହା ବ୍ୟତୀତ ଦୀର୍ଘ ସମୟ ଧରି ଟନେଲରେ ଅଟକି ରହିବା ଶ୍ରମିକମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ଟନେଲରେ ରହିବା ସମୟରେ ତାଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଥିବ । ସେହି କାରଣରୁ ସେମାନେ ଚିନ୍ତା ଏବଂ ଉଦାସୀନତା ତଥା ଅବସାଦର ଶିକାର ହେବା ଆଶଙ୍କା ମଧ୍ୟ ଅଧିକ ରହିଛି । ଏଭଳି ପରିସ୍ଥିତିରେ ଶ୍ରମିକମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।