fbpx

ଉଜବେକିସ୍ତାନରେ କାଶ ସିରପ ଖାଇ ଶିଶୁଙ୍କ ମୃତ୍ୟୁ ମାମଲା: କମ୍ପାନୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଳାୟ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କାଶ ସିରପ ଖାଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶୁକ୍ରବାର(୩୦ ଡିସେମ୍ବର) ଟ୍ୱିଟ୍ କରି ଏହି ବିଷୟରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କାଶ ସିରପ ଡକ୍ -୧ ମ୍ୟାକ୍ସରେ ଭୁଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଦଳ ଡିସେମ୍ବର ୨୯ ରାତିରୁ ମାରିଅନ୍ ବାୟୋଟେକ୍ ର ସମସ୍ତ ଔଷଧ ଉତ୍ପାଦନ ବନ୍ଦ କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ ଉଜବେକିସ୍ତାନରେ କାଶ ସିରପ ଖାଇ ୧୮ ଶିଶୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେବା ପରେ ମାରିଅନ୍ ବାୟୋଟେକ୍ କମ୍ପାନୀ ପ୍ରଶ୍ନ ଘେରକୁ ଆସିଥିଲା । ଏଜେବେକିସ୍ତାନର ଏହି ଦାବି ପରେ ଭାରତ ସରକାର ଆଲର୍ଟ ହୋଇଛନ୍ତି । ଶିଶୁଙ୍କ ମୃତ୍ୟୁକୁ ଭାରତୀୟ କାଶ ସିରପ ସହିତ ଯୋଡିବା ପରେ କେନ୍ଦ୍ର ସରକାର ଉଜବେକିସ୍ତାନରେ ଆହତଙ୍କ ସମ୍ପର୍କରେ ଏକ ରିପୋର୍ଟ ମାଗିଛନ୍ତି ।

ମାଣ୍ଡବ୍ୟ କହିଛନ୍ତି ଯେ, ନୋଏଡା ସ୍ଥିତ କମ୍ପାନୀର କାଶ ସିରପର ନମୁନା ଚଣ୍ଡିଗଡ଼ରେ ଥିବା ଡ୍ରଗ୍ ଟେଷ୍ଟିଂ ଲାବୋରଟାରୀରେ ଯାଞ୍ଚ ପାଇଁ ପଠାଯାଇଛି । ଏହା ବାଦ୍ ସ୍ୱାସ୍ଥ୍ୟ ବିଭାଗର ଟିମ୍ କାଶ ସିରପ ଡକ୍ -୧ ମ୍ୟାକ୍ସରେ ଭୁଲ୍ ଥିବା ରିପୋର୍ଟକୁ ନଜରରେ ରଖି ଡିସେମ୍ବର ୨୯ ରାତିରୁ ମାରିଅନ୍ ବାୟୋଟେକ୍ ର ସମସ୍ତ ଔଷଧ ଉତ୍ପାଦନ ବନ୍ଦ କରି ଦେଇଛନ୍ତି ।

ସେପଟେ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ମୃତ୍ୟୁବରଣ କରିଥିବା ୧୮ ଜଣ ପିଲା ଡକ୍ -୧ ମ୍ୟାକ୍ସ ସିରପ ଖାଇଛନ୍ତି । ଏହା ନୋଏଡା ଭିତ୍ତିକ ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ ଶିଶୁମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ୨-୭ ଦିନ ପାଇଁ ଦିନକୁ ୩-୪ ଥର ଏହି ସିରପ ସେବନ କରିଛନ୍ତି । ସେଥିପାଇଁ ସେ ମୃତ୍ୟୁବରଣ କଲେ । ବର୍ତ୍ତମାନ ଉଜବେକିସ୍ତାନ ସରକାର ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଛନ୍ତି ।

Get real time updates directly on you device, subscribe now.