fbpx

ରାଜଧାନୀରେ ହେବାକୁ ଯାଉଛି ଟିକା ଉତ୍ପାଦନ କେନ୍ଦ୍ର, ଭର୍ଚୁଆଲ ମୋଡରେ ଆରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): ରାଜଧାନୀ ଉପକଣ୍ଠ ସ୍ଥିତ ଅନ୍ଧାରୁଆ ଠାରେ ନିର୍ମାଣ ହେବାକୁ ଯାଉଛି ଟିକା ଉତ୍ପାଦନ ୟୁନିଟ୍ । ଏହାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭର୍ଚୁଆଲ ମୋଡରେ ଆରମ୍ଭ କରିଛନ୍ତି । ଏଥିରେ ୧୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଟିକା ଉତ୍ପାଦନ ୟୁନିଟ୍ ରେ କୋଭାକ୍ସିନ୍ ଟିକା ଉତ୍ପାଦନ କରାଯିବ ଏବଂ ଏହାକୁ ୨୦୨୨ ଜୁ୍ନ ସୁଦ୍ଧା ପୁରା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ ଶ୍ରୀ ମନୋଜ ମିଶ୍ର ଏହାର ପ୍ରଶାସନିକ ଏବଂ ଆର୍ଥିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ସଂକ୍ରାନ୍ତରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଏହାର ନିର୍ମାଣ କାର୍ଯ୍ୟ ଏବଂ ଏହାର ଭିତ୍ତିଭୁମିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଲି ସେତିକି ନୁହେଁ ଇନକ୍ୟୁବେସନ୍ ପ୍ରତି ମଧ୍ୟ ଗୁରୁତ୍ୱ ଦେଇଥିଲେ ଏବଂ ଏହା ଉପରେ ତ୍ୱରିତ ଆଭିମୁଖ୍ୟ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଏହି କ୍ଷେତ୍ରରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ବାୟୋ ଟେକ୍ନୋଲୋଜିର ଏକ ବୃତ୍ତିଗତ ନିର୍ଦ୍ଦେଶାଳୟ ସ୍ଥାପନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

ତେବେ ଏହି ଅଗ୍ରଣୀ ଟିକା ଉତ୍ପାଦନ କେନ୍ଦ୍ରକୁ ଭାରତ ବାୟୋଟେକ୍ ଇନଟରନ୍ୟାସନାଲ୍ ଲିମିଟେଡ୍ ର ତତ୍ତ୍ୱାବଧାନରେ ନିର୍ମାଣ କରାଯିବ । ଏହି କମ୍ପାନୀ ବିଭିନ୍ନ ପ୍ରକାରର ରୋଗର ଟିକା ପ୍ରସ୍ତୁତ କରେ । ଯେପରିକି ମ୍ୟାଲେରିୟା, ଡାଇରିୟା, ପାଣ୍ଡେମିକ୍ ଇନଫ୍ଲୁଏନଜା ଇତ୍ୟାଦି । ଭୁବନେଶ୍ୱରରେ ହେବାକୁ ଯାଉଥିବା ଏହି ଟିକା ଉତ୍ପାଦନ ୟୁନିଟ୍ ରେ ୧୦ ପ୍ରକାରର ରୋଗର ଟିକା ପ୍ରସ୍ତୁତ କରାଯିବ । ସେଥିରେ ମ୍ୟାଲେରିୟା ଏବଂ କୋଭିଡ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

Get real time updates directly on you device, subscribe now.