fbpx

ରାଜ୍ୟରେ ଆକାଶ ଛୁଆଁ ହେଲାଣି ପରିବା ଦର; ଖାଉଟି ହନ୍ତସନ୍ତ, ସବୁ ଦେଖିକି ଚୁପ୍ ବସିଛି ଯୋଗାଣ ବିଭାଗ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିର୍ବାଚନ ସରୁ ସରୁ ବଢ଼ିଲାଣି ପରିବା ଦର । ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ । ଗୋଟେ ଖରା ଗରମ ଅନ୍ୟପଟେ ବଜାରରେ ଲେମ୍ବୁର ମୂଲ୍ୟ ବୃଦ୍ଧି । ସବୁଠୁ ଚିନ୍ତାରେ ପକାଇଲାଣି ଟମାଟୋ କିଲୋଗ୍ରାମରେ ୧୦୦ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି ।

ପନିପରିବା ବିକ୍ରେତାମାନେ କହିଛନ୍ତି ଯେ କମ୍ ବର୍ଷା ଏବଂ ଅନୁକୂଳ ପାଗ ନ ଥିବାରୁ ବଜାରରେ ଟମାଟୋ ସମେତ ପନିପରିବା ଆସିବା ହ୍ରାସ ପାଇଛି । ଯେଉଁ କାରଣରୁ ହୋଲସେଲ ହାରରେ ବୃଦ୍ଧି ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟାଇଛି । ପରିବା ବ୍ୟବସାୟୀ କହିଛନ୍ତି ଯେ ଲେମ୍ବୁ ପ୍ରାୟତଃ ଦକ୍ଷିଣ ଭାରତ ରାଜ୍ୟରୁ ଆସିଥାଏ, କିନ୍ତୁ ସେଠାରେ କମ୍ ଉତ୍ପାଦନ ହେତୁ ବଜାରରେ ଲେମ୍ବୁ ଆସିବା କମ୍ ହୋଇଥାଏ ।

ଯେଉଁ କାରଣରୁ ମୂଲ୍ୟ ବଢୁଛି । ପୂର୍ବରୁ ଏକ ଲେମ୍ବୁର ମୂଲ୍ୟ ଦୁଇରୁ ତିନି ଟଙ୍କା ଥିଲା । ବର୍ତ୍ତମାନ ଖୁଚୁରା ବଜାରରେ ପାଞ୍ଚରୁ ଛଅ ଟଙ୍କା ପର୍ଯ୍ୟନ୍ତ ଏକ ଲେମ୍ବୁ ଉପଲବ୍ଧ ହେଉଛି । ଆଳୁ କେଜି ୨୦ ଟଙ୍କା ଥିବା ବେଳେ ଏବେ ୩୦ ଟଙ୍କାରେ ପହଞ୍ଚିଛି । ପିଆଜ କେଜି ପିଛା ୪୦ ଟଙ୍କା ରୁ ୫୦ ଟଙ୍କାରେ ପହଞ୍ଚିଛି । କଞ୍ଚାଲଙ୍କା ଶହ ୩୦ଟଙ୍କା ରୁ ୫୦ /୬୦ଟଙ୍କାରେ ପହଞ୍ଚିଛି । ଭେଣ୍ଡି ୧୫ଟଙ୍କା ରୁ ୬୦ ଟଙ୍କା ରେ ପହଞ୍ଚିଛି । ସେହିଭଳି ପାଳଙ୍ଗ ୨୫ ଟଙ୍କା ରୁ ୩୦ ଟଙ୍କାରେ ପହଞ୍ଚିଛି ।

ଅଧିକାଂଶ କଞ୍ଚା ପରିବା କିଲୋପ୍ରତି ଦାମ ୫୦ ଟଙ୍କାରେ ପହଞ୍ଚିଛି । କଲରା କିଲୋ ପିଛା ୬୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଜହ୍ନି ୬୦, ପୋଟଳ ୬୦, କଖାରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଅଦା, ରସୁଣ, ପିଆଜ, ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରସୁଣ ପ୍ରକାର ଅନୁସାରେ ୨୬୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଦରରେ ବିକ୍ରି ହେଉଛି ।

Get real time updates directly on you device, subscribe now.